ମାଲକାନଗିରି– ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଜିଲ୍ଲାପାଳ ବିଶାଲ ସିଂଙ୍କ ତତ୍ତ୍ଵାବଧାନରେ ଆଜି ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୩ ପାଳନ କରାଯାଇଛି। ଏହି ସମାରୋହରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ, ଶ୍ରୀ ଆଡମା ରାବା ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଦବର ପ୍ରଧାନ ଯୋଗ ଦେଇଥିଲେ । ଅତିଥିମାନେ ଦିବ୍ୟାଙ୍ଗ ମାନଙ୍କର ଅଧିକାର ଏବଂ ପ୍ରତ୍ୟେକ କ୍ଷେତ୍ରରେ ସମ୍ପୂର୍ଣ୍ଣ ସହଭାଗିତା ନିମନ୍ତେ ସଚେତନତା କରାଇବା ସହ ସେମାନଙ୍କ ସହ ସମ୍ବେଦନଶୀଳ ହେବା ପାଇଁ ଆହ୍ବାନ କରିଥିଲେ। ସେହିପରି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀ ନିର୍ମଳ ଧାରୁଆ ସ୍ଵାଗତ ଭାଷଣ ପ୍ରଦାନ କରି ବିଭାଗ ଦ୍ବାରା ପ୍ରଦତ୍ତ ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡ. ପ୍ରଫୁଲ୍ଲ କୁମାର ନନ୍ଦ, ଜିଲ୍ଲା ନିୟୋଜନ ଅଧିକାରୀ, ଶ୍ରୀ ମନସ୍ଵୀ ସେଠୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ପ୍ରମିଳା ମାଝୀ, ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ପାଣ୍ଡେ, ଡେପୁଟି କଲେକ୍ଟର ଶ୍ରୀ ଚିତ୍ତରଞ୍ଜନ ପିଲା, ସହକାରୀ ଶ୍ରମ ଅଧିକାରୀ ଶ୍ରୀମତି ପୂର୍ଣ୍ଣିମା ଡୁରୁକା, ପ୍ରଫେସର ନୀଳମାଧବ ବେହେରା ମଞ୍ଚାସିନ ଥିଲେ। ଏହି ସମାରୋହରେ ପୂର୍ବାହ୍ନରେ ଏଫଏଫଇବିଡି ସ୍ଵତନ୍ତ୍ର ବିଦ୍ୟାଳୟ ଓ ମୁକ୍ତି କିରଣ ଥେରାପେଟିକ କେନ୍ଦ୍ରର କୁନି କୁନି ଅନ୍ତେବାସୀଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତ୍ରିନାଥ ମାଝୀ ୱାକାଥନ ରେ ଯୋଗଦେଇଥିଲେ । ବିଭାଗ ଦ୍ଵାରା ନୂତନ ଭାବେ ମଞ୍ଜୁର ହୋଇଥିବା ୨୮ ଜଣଙ୍କୁ ଭିନ୍ନକ୍ଷମ ଭତ୍ତା, ୫ ଯୋଡି ଭିନ୍ନକ୍ଷମ ଦମ୍ପତ୍ତିଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କାର ବିବାହ ପ୍ରୋତ୍ସାହନ ରାଶି, ହ୍ୱିଲ ଚେୟାର ସହ ବିଭିନ୍ନ ସହାୟକ ଉପକରଣ ବଣ୍ଟନ କରାଯାଇଥିଲା । ଏହା ସହ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।
ମଧ୍ୟାହ୍ନ ଭୋଜନ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପରିଶେଷରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ସୁକାନ୍ତ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ସଦର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜୀବ ପୂଜାରୀ, ସାତଟି ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ ଓ ଏହି ବିଭାଗର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ।