ଭୁବନେଶ୍ୱର, ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ଆଜି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଏକ ସଚେତନତା ପଦଯାତ୍ରା (ୱାକାଥନ୍) ଆୟୋଜିତ ହୋଇଥିଲା । ସକାଳେ ଶିଖରଚଣ୍ଡୀ ଛକଠାରେ ସୁସଜ୍ଜିତ ମଞ୍ଚ ନିକଟରେ ସମବେତ ପଦଯାତ୍ରୀମାନଙ୍କୁ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଉତ୍ସାହିତ କରିବା ସହିତ ପତାକା ହଲାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ଭିନ୍ନକ୍ଷମମାନଙ୍କ ସୁରକ୍ଷା ସହିତ ସେମାନଙ୍କୁ ସମର୍ଥ, ସକ୍ଷମ ଓ ସଫଳ ବ୍ୟକ୍ତି ଭାବରେ ବର୍ଣ୍ଣନା ସମ୍ବଳିତ ଅନେକାନେକ ପ୍ଲାକାର୍ଡ ଧରି ସ୍ଳୋଗାନ୍ ଦେଇ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଗଠନର ସଭ୍ୟସଭ୍ୟା, ନାଗରିକ ସମାଜର ପ୍ରତିନିଧି ଓ ଶିକ୍ଷକଶିକ୍ଷିକାମାନେ ପଦଯାତ୍ରାରେ ‘କିଟ୍’ର ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମ୍ ପର୍ଯ୍ୟନ୍ତ ଯାଇଥିଲେ । କୌତୁକ ପୋଷାକ ପିନ୍ଧିଥିବା ଅନେକ ପଦଯାତ୍ରୀ ଚିତ୍ତାକର୍ଷକ ନୃତ୍ୟଗୀତ ପରିବେଷଣ କରିଥିଲେ । ବାଦ୍ୟବିଚିତ୍ରାରେ ପରିବେଶ ମୁଖରିତ ହୋଇଥିଲା । ସମସ୍ତଙ୍କ କଣ୍ଠରେ ଥିଲା ଭିନ୍ନକ୍ଷମମାନଙ୍କ ସଫଳତାର ଆଶା ଓ ସମ୍ଭାବନା ।