
ବଲାଙ୍ଗିର– ଆଇନଜୀବୀ ଭାବେ ନିଜ ରାଜନୈତିକ କ୍ୟରିୟରର ଦ୍ବିତୀୟ ଇନିଙ୍ଗସ୍ ଆରମ୍ଭ କରିବାକୁ ଯାଉଛନ୍ତି ଲୋଇସିଂହା ବିଧାୟକ ଡଃ. ମୁକେଶ ମହାଲିଙ୍ଗ । ଗତକାଲି ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ନୂଆ ସଦସ୍ୟ ଭାବେ ଯୋଗ ଦେଇଛନ୍ତି ଲୋଇସିଂହା ବିଧାୟକ ଡ. ମହାଲିଙ୍ଗ । ଏହି ଅବସରରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ସଭାପତି ଅମରେଶ ତ୍ରିପାଠୀ ଓ ଅନ୍ୟ ଆଇନଜୀବୀ ମାନେ ଡଃ. ମହାଲିଙ୍ଗଙ୍କୁ ସ୍ଵାଗତ କରିବା ସହ ତାଙ୍କର ସଫଳତା କାମନା କରିଛନ୍ତି ।
ସେହିପରି କିଛି ଦିନ ପୂର୍ବରୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମଧ୍ୟ ଜିଲ୍ଲା ଓକିଲ ସଂଘରେ ନିଜ ନାମ ପଞ୍ଜିକରଣ କରି ସାରିଛନ୍ତି । ଲୋଇସିଂହା ନିର୍ବାଚନ ମଣ୍ଡଳୀର ଜଣେ ଉଚ୍ଚଶିକ୍ଷିତ ଲୋକପ୍ରିୟ ନେତା ଭାବରେ ସମସ୍ତଙ୍କ ପ୍ରିୟଭାଜନ ହୋଇ ପାରିଥିବା ଡଃ. ମୁକେଶ ମହାଲିଙ୍ଗ ଆଗକୁ ଜଣେ ଆଇନଜୀବୀ ଭାବରେ ତାଙ୍କର ଦକ୍ଷତା କେତେ ପ୍ରତିପାଦନ କରି ପାରିବେ ତାହା ଦେଖିବାକୁ ବାକି ରହିଲା ।