
ଭୁବନେଶ୍ୱର– ରାଜ୍ୟରେ ସବୁଜ ଜଳବାୟୁ ପାଣ୍ଠି ( ଜିସିଏଫ)ପ୍ରକଳ୍ପର ସଫଳ ଋପାୟନ ଉଦ୍ଦେଶ୍ୟରେ ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ କ୍ଷୁଦ୍ର ଜଳସେଚନ(ଜଳ ସମ୍ପଦ ବିଭାଗ)ର ଅଧିକାରୀମାନଙ୍କ ନିମନ୍ତେ ଏକ ୨ ଦିନିଆ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁକ୍ରବାର ପ୍ରତାପନଗରୀସ୍ଥିତ ୱାଲମୀ, ଓଡିଶା ଠାରେ ଅନୁଷ୍ଠିତ ହୋଇଛି ।
ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶକ, ସ୍ୱତନ୍ତ୍ର ପ୍ରକଳ୍ପ, ଜ୍ୟୋତି ପ୍ରକାଶ ଦାସ ଯୋଗଦେଇ ଉଦ୍ଘାଟନ କରିବା ସହିତ ପ୍ରକଳ୍ପର ସଫଳ ରୂପାୟନ ପାଇଁ ବ୍ଳକ ସ୍ତରରେ ଥିବା ଅଧିକାରୀମାନଙ୍କୁ ଦିଶା ନିର୍ଦ୍ଦେଶ ଦିଆଯିବ ବୋଲି ଜଣାଇଥିଲେ । ‘ୱାଲମୀ’ ର ପ୍ରମୁଖ ପ୍ରଶିକ୍ଷଣ ସଂଯୋଜକ, ଡଃ ସୁଧନ୍ୱା ଚନ୍ଦ୍ର ପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଫେସର ଇଂ ଅରୁଣ ସାମନ୍ତରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ‘ସବୁଜ ଜଳବାୟୁ ପାଣ୍ଠି’ର ନୋଡାଲ ଅଫିସର ଇଂ ରଘୁନାଥ ମିଶ୍ର ସମ୍ମାନିତ ଅତିଥି ତଥା ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ ।
ପ୍ରକାଶ ଥାଉକି, ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ କ୍ଷୁଦ୍ର ଜଳସେଚନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଅଧିକାରୀମାନେ ସେମାନେ କାର୍ଯ୍ୟରତ ସଂପୃକ୍ତ ଅଂଚଳରେ ଥିବା ଜଳାଶୟଗୁଡିକର ପୁନରୁଦ୍ଧାର କରିବା ସହିତ ‘ରିଚାର୍ଜ ୱେଲ୍’ ନିର୍ମାଣ ପାଇଁ ବ୍ଳକ ସ୍ତରରେ ସଚେତନତା ସୃଷ୍ଟି କରି ଏହି କାର୍ଯ୍ୟକ୍ରମକୁ ଆଗେଇନେବେ ।