
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଭାରତର ନିର୍ବାଚନ ଆୟୁକ୍ତ ଙ୍କ ନିର୍ଦ୍ଦେଶ କ୍ରମେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି।ନିର୍ବାଚନ ପାଇଁ ସବୁଠାରୁ ବଡ ଉପାଦାନ ଏକ ସଠିକ ଭୋଟର ତାଲିକା। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ବର୍ତ୍ତମାନ ଜାରି ରହିଛି ଯାହା ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ।ଏଥିରେ ନୂତନ ଭୋଟର ମାନଙ୍କର ସାମିଲ ସହ ମୃତ ଭୋଟର ଙ୍କୁ ବାଦ ଦେବା, ତାଲିକାରେ ତୃଟି ଥିଲେ ସଂଶୋଧନ କାର୍ଯ୍ୟ ଚାଲୁ ରହିଛି।ନୂଆ ଭୋଟର ମାନଙ୍କୁ ପଞ୍ଜିକରଣ ପାଇଁ ସଚେତନତା ସୃଷ୍ଟି କରାଯାଇଛି।ଅପରପକ୍ଷରେ ନିର୍ବାଚନ ସମୟରେ ଡିସପରସାଲ ବା ନିର୍ବାଚନ ପରିଚାଳନା ପାଇଁ ଦାୟିତ୍ୱରେ ଥିବା ଅଧିକାରୀ କର୍ମଚାରୀ ଙ୍କୁ ସାମଗ୍ରୀ ପ୍ରଦାନ ପାଇଁ ଉପଯୁକ୍ତ ସ୍ଥାନ ଚିହ୍ନଟ ,ଇଭିଏମ ରହଣି ସ୍ଥଳ, ଭୋଟ ଗଣତି ସ୍ଥାନ ଚିହ୍ନଟ ଆରମ୍ଭ ହୋଇଛି।ବିଗତ ନିର୍ବାଚନ ମାନଙ୍କ ରେ କେନ୍ଦ୍ରୀୟ ବିଦ୍ୟାଳୟ, ଏସସିଏସ ମହାବିଦ୍ୟାଳୟ ରେ ଏହା କରାଯାଉଥିଲା।ବର୍ତ୍ତମାନ ପେଣ୍ଠକଟା ଇଭିଏମ ଗୋଦାମ କେନ୍ଦ୍ର ସହ ଉପରୋକ୍ତ ଦୁଇ ସ୍ଥାନ କୁ ଅନୁଧ୍ୟାନ କରାଯାଉଛି। ପୂର୍ବାହ୍ନରେ ରିଟର୍ଣ୍ଣିଂ ଅଫିସର ଦାୟିତ୍ୱ ରେ ଥିବା ୬ ଅଧିକାରୀ ଯଥା ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଡଃ ଶରତ ଚନ୍ଦ୍ର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ ଓ ଅତିରିକ୍ତ ଉପଜିଲ୍ଲାପାଳ ପାର୍ଥ ସାରଥୀ ହାଂସଦା ଏହି ସ୍ଥାନ ଗୁଡିକ ପରିଦର୍ଶନ କରିଥିଲେ।ଏହାର ଅନୁଧ୍ୟାନ ରିପୋର୍ଟ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇ ସ୍ଥାନ ଚୁଡାନ୍ତ କରାଯିବ ବୋଲି ନିର୍ବାଚନ ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା ସୂଚନା ଦେଇଛନ୍ତି।