
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ୩ ଗୋଟି ପୁସ୍ତକ ଭକ୍ତସମାଜ ପାଇଁ ଲୋକର୍ପିତ ହୋଇଛି । ପୁସ୍ତକ ଗୁଡ଼ିକ ହେଲା, (1) ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପଦ୍ଧତି (2) ଶ୍ରୀଜଗନ୍ନାଥ ଗୀତିକା (3) ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ଓ ସେବାପୂଜା । ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ରଂଜନ କୁମାର ଦାସ, ଆଇ.ଏ.ଏସଙ୍କ ଦ୍ବାରା ପୁସ୍ତକ ଗୁ଼ଡିକ ଲୋକର୍ପିତ ହୋଇଛି । ପୁସ୍ତକ ଉନ୍ମୋଚନ ସମୟରେ ଶ୍ରୀ ଜିତେନ୍ଦ୍ର କୁମାର ସାହୁ, ପ୍ରଶାସକ ନୀତି, ଶ୍ରୀ ଆଶିଷ ସୁବୁଦ୍ଧି, ସ୍ବତନ୍ତ୍ର ଅଧିକାରୀ ନିର୍ମାଣ, ଶ୍ରୀ ଶୁଭ୍ରାଂଶୁ ଶେଖର ପାଢୀ, ସ୍ବତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଏବଂ ଶ୍ରୀ ଜିତେନ୍ଦ୍ର ନାରାୟଣ ମହାନ୍ତି, ଲୋକସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ପୂର୍ବରୁ ଏହି ତିନୋଟି ପୁସ୍ତକ ବିଧିବଦ୍ଧ ଭାବେ କାର୍ତ୍ତିକ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ଚରଣ କମଳରେ ଅର୍ପଣ କରାଯାଇଥିଲା । ଏହି ତିନୋଟି ପୁସ୍ତକ ଦୀର୍ଘବର୍ଷ ପରେ ପୁଣି ଥରେ ମୁଦ୍ରଣ କରାଯାଇଛି । ଏହା ସହିତ ଆଉ ୪ ଟି ପୁସ୍ତକ ମଧ୍ୟ ଖୁବଶୀଘ୍ର ଭକ୍ତମାନଙ୍କ ପାଇଁ ଉପଲବ୍ଧ ହେବା ପାଇଁ ପ୍ରସ୍ତୁତି ଚାଲିଛି ।