
ଭୁବନେଶ୍ୱର– ଭୁବନେଶ୍ୱର ମହାନଗର ନିଗମର ନହରକଂଟା ମହାରଥା ବିଦ୍ୟାପୀଠର ପୂର୍ବତନ ପ୍ରଧାନଶିକ୍ଷକ ଓ ଜୟଦେବ କଲେଜର ପ୍ରଥମ ଅଧ୍ୟକ୍ଷ ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ପ୍ରଫୁଲ୍ଲ କୁମାର ଶ୍ରୀଚନ୍ଦନରାୟଙ୍କ ୮୩ତମ ଜୟନ୍ତୀ ଗୁରୁବାର ପ୍ରତ୍ୟୁଷରେ ଶ୍ରୀଜୟଦେବ କଲେଜ ପରିସରରେ ପୂର୍ବତନ ଅଧ୍ୟକ୍ଷ ଡକ୍ଟର କାମଦେବ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସନ୍ତୋଷ ସେଠୀ, ଶିକ୍ଷାବିତ୍ ସୁରେନ୍ଦ୍ର କୁମାର ଖୁଂଟିଆ, ଶିକ୍ଷକ ବିଭୂତି ଭୂଷଣ ଜେନା, ଗ୍ରନ୍ଥାଗାରିକ ଶିବ ପ୍ରସାଦ ସାହୁ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର କର୍ତବ୍ୟରତ ଅଧିକାରୀ ଲକ୍ଷ୍ମୀଧର ବେହେରା ଯୋଗଦେଇ ତାଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ ସହ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବକ୍ତାମାନେ ନିଜ ବକ୍ତବ୍ୟରେ ନହରକଣ୍ଟାରେ ଜନ୍ମିତ ଡକ୍ଟର ରାୟ ଉଚ୍ଚଶିକ୍ଷା ପରେ ସରକାରୀ ଚାକିରୀ ମୋହ ପରିତ୍ୟାଗ କରି ନିଜ ଗ୍ରାମରେ ତାଙ୍କ ପିତାଙ୍କ ପ୍ରତିଷ୍ଠିତ ମହାରଥା ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଦାୟିତ୍ୱ ନିର୍ବାହ କରିବା ସହ ଅଂଚଳରେ ଶିକ୍ଷାର ଆଲୋକ ପ୍ରଦାନ କରିଥିଲେ । ପରବର୍ତୀ ଅବସ୍ଥାରେ ତାଙ୍କ ନେତୃତ୍ୱରେ ନହରକଣ୍ଟାରେ ଶ୍ରୀଜୟଦେବ ଶିକ୍ଷା ବୈଷୟିକ ମହାବିଦ୍ୟାଳୟ ପ୍ରତିଷ୍ଠା ହେବାପରେ ସେ ତାହାର ପ୍ରଥମ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ ଓ ପ୍ରଧାନଶିକ୍ଷକ ପଦବୀରୁ ଇସ୍ତଫା ଦେବାଯୋଗୁଁ ପେନ୍ସନ୍ରୁ ବଂଚିତ ହୋଇଥିଲେ । ଜଣେ ଗବେଷକ ଓ ଗବେଷଣା ମାର୍ଗ ଦର୍ଶକ ଭାବରେ ତାଙ୍କ ଅଧିନରେ ବହୁ ବିଦ୍ୟାର୍ଥୀ ପିଏଚ୍.ଡି. କରିବାର ସୁଯୋଗ ପାଇଛନ୍ତି । ଅଂଚଳର ସାମଗ୍ରିକ ଉନ୍ନତି ପାଇଁ ସେ ନିଜକୁ ସମର୍ପିତ କରିଥିଲେ ବୋଲି ମତ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।