କନ୍ଧମାଳ– କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଏନଏସିର ପ୍ରାକ୍ତନ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ରଙ୍କ ଅକାଳ ବିୟୋଗ ପରେ ଅଧ୍ୟକ୍ଷା ପଦବୀ ପାଇଁ ଆଜି ମତଦାନ ଆରମ୍ଭ ହୋଇଛି । ତେବେ ମତଦାନ ପ୍ରକ୍ରିୟା ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ସ୍ଥାନୀୟ ହବାକ ହାଇସ୍କୁଲରେ ୩ ଟି, ହାତୀଶାଳ ସ୍କୁଲରେ ୪ ଟି,କନବାଗିରିରେ ଦୁଇଟି ଓ ଶ୍ରୀରାମ ପଦା ଉପ୍ରା ବିଦ୍ୟାଳୟ, ହାଟପଦା ସ୍କୁଲ,ବ୍ଲକ କଲୋନୀ, ପଦାସାହି ସ୍କୁଲ ଆଦିରେ ଗୋଟାଏ ଲେଖାଁଏ ଏମିତି ମୋଟ ୧୩ଟି ବୁଥରେ ମତଦାନ ପ୍ରକ୍ରିୟା ଜାରି ରହିଛି । ସମୁଦାୟ ୮୧୮୫ ଭୋଟର ନିଜ ନିଜ ମତଦାନ ସାବ୍ୟସ୍ତ କରିବାକୁ ଥିବା ବେଳେ ସେଥିମଧ୍ୟରୁ ୩୮୨୦ ଜଣ ପୁରୁଷ, ୪୩୬୧ ମହିଳା ଏବଂ ଅନ୍ୟାନ୍ୟ ୪ ଜଣ ଭୋଟର ରହିଛନ୍ତି । ଏନେଇ କଳିଙ୍ଗ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ସହ ଦୁଇଜଣ ସେକ୍ଟର ଅଫିସର ଦାୟିତ୍ୱରେ ରହିଥିବା ବେଳେ ଆଉ ଦୁଇଜଣ ସେକ୍ଟର ଅଫିସରଙ୍କୁ ରିଜର୍ଭ ରଖାଯାଇଛି । ସେହିପରି କଳିଙ୍ଗ ମହାବିଦ୍ୟାଳୟର ଅଧ୍ୟାପକ ନଳିନୀ କୁମାର ପାଣିଗ୍ରାହୀ ବୁଥ ପରିଚାଳନା ଦାୟିତ୍ଵରେ ଥିବା ବେଳେ ପ୍ରଦୀପ କୁମାର ଶତପଥୀ, ଗୌରୀଶଙ୍କର ମହାରଥା ଏବଂ କେତନ ନାୟକ ପ୍ରମୁଖ ନିର୍ବାଚନ ପରିଚାଳନା ଦାୟିତ୍ବରେ ରହିଛନ୍ତି ।
ତେବେ ଅଧ୍ୟକ୍ଷା ପ୍ରାର୍ଥୀ ଭାବେ ବିଜେଡ଼ି ଦଳର ଦେବସ୍ମିତା ଶତପଥୀ, ବିଜେପି ଦଳର ରଞ୍ଜିତା ନାୟକ, କଂଗ୍ରେସ ଦଳର ମଧୁଲିନା ଦିଗାଲ ରଣାଙ୍ଗନରେ ଅବତୀର୍ଣ୍ଣ ଥିବାବେଳେ ବିଜେଡି, ବିଜେପି ମଧ୍ୟରେ କଡା ଟକ୍କର ହେବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଏନେଇ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୬ ଜଣ ପୋଲିସ ଅଧିକାରୀଙ୍କ ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ସୂଚନା ମିଳିଛି ।
ତେବେ ଏଠାରେ ବିଜେଡି ପଲ୍ଲା ଭାରି ରହିଥିବା ନେଇ ଆଲୋଚନା ହେଉଛି । ବିଜେପି ମଧ୍ୟ କଡ଼ା ଟକ୍କର ଦେବାକୁ ସମସ୍ତ ପ୍ରକାର ରଣ କୌଶଳ ଆପଣାଇଥିଲା । ଆଜି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର।