
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ପୁରୀ:
ଭାରତର ଆଧ୍ୟାତ୍ମିକ ଇତିହାସରେ ପ୍ରସିଦ୍ଧି ଲାଭ କରିଥିବା ଜଗଦଗୁରୁ ନିମ୍ବାର୍କ ଙ୍କର ଆବିର୍ଭାବ ଦିବସ ଏବଂ ସ୍କନ୍ଦ ପୁରାଣ ଆଧାରିତ ଓଡ଼ିଆ ଅନୁବାଦ ‘ଶ୍ରୀ ଜଗନ୍ନାଥ ଭାଗବତ’ ପାରାୟଣର ଶୁଭାରମ୍ଭ କାର୍ଯ୍ୟକ୍ରମ ପବିତ୍ର ରାସପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ସିଂହଦ୍ଵାର ସ୍ଥିତ ରାଧାବଲ୍ଲଭ ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି I ମଠାଧୀଶ ମହନ୍ତ ରାମକୃଷ୍ଣ ଦାସ ଏଥିରେ ଅଧ୍ୟକ୍ଷତା କରିଥିଲେ I କାର୍ଯ୍ୟକ୍ରମରେ ଭାଗବତ ଆଶ୍ରମ ଅଧ୍ୟକ୍ଷ ବାବା ବ୍ରଜବନ୍ଧୁ ଦାସ,ବଲାଙ୍ଗୀରର ସ୍ଵାମୀ ସତ୍ୟ ବେଦାନନ୍ଦ ମହାରାଜ, ମହିପ୍ରକାଶ ମଠ ମହନ୍ତ ସ୍ଵାମୀ ଶୁଭାନନ୍ଦ ପୁରୀ, ଗଞ୍ଜାମ କଞ୍ଚୁର ମଠ ମହନ୍ତ ହରିହର ଦାସ, ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ଡ. ଭାସ୍କର ମିଶ୍ର, ଡ. ନରେଶ ଚନ୍ଦ୍ର ଦାଶ, ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର ଏବଂ ବିଶ୍ଵ ହିନ୍ଦୁ ପରିଷଦ ରାଜ୍ୟ ସାଧାରଣ ସଂପାଦକ ମହେଶ ସାହୁ ପ୍ରମୁଖ ଆଲୋଚକ ଭାବେ ଯୋଗ ଦେଇ ନିମ୍ବାର୍କ ଙ୍କର ଜୀବନୀ ଓ ଦର୍ଶନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ I ଆଲୋଚନା ପର୍ବକୁ ସାହିତ୍ୟିକ ଶ୍ୟାମ ପ୍ରକାଶ ସେନାପତି ସଞ୍ଚାଳନ କରିଥିଲେ I ଏହି ଅବସରରେ ‘ଶ୍ରୀ ଜଗନ୍ନାଥ ଭାଗବତ’ର ନବାକ୍ଷରୀ ଓଡ଼ିଆ ଅନୁବାଦ ହିମାଂଶୁ ଶେଖର ଶତପଥୀ ଙ୍କ ଦ୍ବାରା ପାଠ କରାଯାଇଥିଲା I ଏହା ପ୍ରତ୍ୟହ ସନ୍ଧ୍ଯାରେ ଭକ୍ତମାନଙ୍କ ଅବଗତି ପାଇଁ ମଠ ପରିସରରେ ପାଠ କରାଯିବ I ଏଥି ସହ ଡ. ଭାସ୍କର ମିଶ୍ର ଙ୍କ ହିନ୍ଦୀ ପାଣ୍ଡୁଲିପି ‘ଶ୍ରୀଜଗନ୍ନାଥ ଙ୍କ ଛପନ ଭୋଗ’ ଗ୍ରନ୍ଥ ପୂଜା କରାଯାଇଥିଲା I କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ ଓ ସାଧୁସନ୍ଥ ଯୋଗ ଦେଇଥିଲେ I