ଧର୍ମଶାଳା– ପବିତ୍ର କାର୍ତିକ ପୂର୍ଣ୍ଣମୀ ଅବସରରେ ମନ୍ଦିରମାନଙ୍କରେ ବିଭିନ୍ନ ପୂଜାର୍ଚ୍ଚନା ଚାଲିଥିଲା । ମନ୍ଦିରମାନଙ୍କରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଥିଲା । ଏହି ଅବସରରେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ନିଳାଦେଇପୁରସ୍ଥିତ ଜ୍ଞାନେଶ୍ୱର ମହାଦେବ ପୀଠରେ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ଅନୁଷ୍ଠିତ ହୋଇଛି ।
ପ୍ରଥମ ଦିବସରେ ଭକ୍ତମାନଙ୍କ ଦ୍ୱାରା କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଯଜ୍ଞ ମଣ୍ଡପରେ କଳସସ୍ଥାପନ ପରେ ହୋମ ଯଜ୍ଞ ଆରମ୍ଭ ହୋଇଥିଲା । ବିଶିଷ୍ଠ ପଣ୍ଡିତ ବିଜୟ କରଙ୍କ ତତ୍ୱାବଧାନରେ ଏହି ଯଜ୍ଞ କର୍ମ ଚାଲିଥିଲା । ବିଭିନ୍ନ ଦିବସରେ ସୂର୍ଯ୍ୟପୂଜା, ଗୋପୂଜା, ଶ୍ରୀ ଜୀଉଙ୍କ ମହାରୁଦ୍ରାଭିଷେକ, ଷୋଡଶ ଉପଚାର ପୂଜା, ଗୀତାପାଠ, ସପ୍ତସତୀ ଚଣ୍ଡିପାଠ କରାଯାଇଥିଲା । ସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୪ ଦିନ ଧରି ଚାଲିଥିବା ଏହି ଯଜ୍ଞରେ ଜିଲାର କୋଣ ଅନୁକୋଣରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ବିଶେଷ କରି ପୂର୍ଣ୍ଣାହୂତି ଦିବସରେ ମାନସିକଧାରୀ ଓ ଶ୍ରଦ୍ଧାଳୁମାନେ ଯଜ୍ଞକୁଣ୍ଡରେ ଘୃତ ଆହୁତି ଦେଇଥିଲେ । ଭକ୍ତମାନଙ୍କ ପାଇର୍ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।