-
ମିଳୁନି ରାଜ୍ୟ ସରକାରଙ୍କ ସହାୟତା
ଭୁବନେଶ୍ୱର – ଓଡିଶାରେ ବିକାଶର ବିପୁଳ ସମ୍ଭାବନା ରହିଥିବା ବେଳେ ରାଜ୍ୟ ସରକାରଙ୍କ ସହାୟତା ମିଳୁନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କେନ୍ଦ୍ର ବନ୍ଦର, ୱାଟର ୱେଜ ଓ ପରିବହନ ରାଷ୍ଟ୍ର ମନ୍ତ୍ରୀ ଶ୍ରୀପଦ ୟେସୋ ନାୟକ । ପର୍ଯ୍ୟଟନ ଠାରୁ ବନ୍ଦର ବିକାଶ ଯାଏ ରାଜ୍ୟ ସରକାର ବାଧକ ସାଜିଛନ୍ତି ବୋଲି ସେ କହିଛନ୍ତି ।
ଓଡିଶା ଗସ୍ତରେ ଆସିଥିବା ଶ୍ରୀ ନାୟକ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳୋ କହିଛନ୍ତି ଯେ, ଆଗାମୀ ବର୍ଷକ ମଧ୍ୟରେ ପାରାଦ୍ୱୀପ ପୋର୍ଟ ଦେଶର ଏକ ନଂ ପୋର୍ଟ ହେବ । ମାତ୍ର ଏହା ବହୁ ବର୍ଷ ତଳୁ ହୋଇ ସାରନ୍ତାଣି । କିନ୍ତୁ ପୋର୍ଟ କୁ ଭଲ ଗମନାଗମନ ସୁବିଧା ନଥିବାରୁ ତାହା ହୋଇ ପାରୁନି । ରାସ୍ତା ସେଠାରେ ଠିକ ନାହିଁ । ବହୁତ ଅଣ ଓଷାରିଆ ରାସ୍ତା । ସେଥିପାଇଁ ପୋର୍ଟ କୁ ଠିକ ଭାବେ ବେପାର ଆସୁନି । ରାସ୍ତା ଚଉଡ଼ା କରିବାକୁ ବନ୍ଦର ପକ୍ଷରୁ ଅନେକ ଥର ରାଜ୍ୟ ସରକାରଙ୍କୁ ନିବେଦନ କରା ଯାଇଛି । କିନ୍ତୁ ରାଜ୍ୟ ସରକାର ତାହା କରୁ ନାହାନ୍ତି । ପୋର୍ଟ କୁ ଭଲ ରାସ୍ତା ସଂଯୋଗ କରିବା ରାଜ୍ୟ ସରକାରଙ୍କ କାମ । ତଥାପି ରାଜ୍ୟ ସରକାରଙ୍କୁ ଆମେ ସେଥିରେ ସାହାଯ୍ୟ କରିବା ପାଇଁ ବି ରାଜି । କିନ୍ତୁ ବହୁତ ବର୍ଷ ହେବ ରାଜ୍ୟ ସରକାର ରାସ୍ତାର ବିକାଶ କରୁନଥିବାରୁ ବେପାର ଆସୁ ନାହିଁ । ରାଜ୍ୟ ସରକାର ତାହା କରିଦେଲେ ଆସନ୍ତା ଏକ ବର୍ଷ ମଧ୍ୟରେ ପାରାଦ୍ୱୀପ ଦେଶର ଏକ ନଂ ପୋର୍ଟ ହେବ ।
ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କୁ ମୁଁ ଅପିଲ କରୁଛି ତୁରନ୍ତ ରାଜ୍ୟ ସରକାର ରାସ୍ତା ଚଉଡ଼ା କରିବାର କାମ ଆରମ୍ଭ କରନ୍ତୁ । ଯଦି କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର କିଛି ସାହାଯ୍ୟ ମାଗିବେ କେନ୍ଦ୍ର ବି ସାହାଯ୍ୟ କରିବା ପାଇଁ ରାଜି । ଯାହା ଦ୍ୱାରା ଓଡ଼ିଶାର ଓ ଭାରତର ବିକାଶ ହେବ । ସେହିପରି ଓଡ଼ିଶାରେ ପର୍ଯ୍ୟଟନ ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ଅଛି । ରାଜ୍ୟ ସରକାର ପ୍ରସ୍ତାବ ଦେଲେ କେନ୍ଦ୍ର ସରକାର ସବୁ ସହାୟତା ପାଇଁ ଆଗଭର ଅଛନ୍ତି । କେନ୍ଦ୍ର ସରକାର ପର୍ଯ୍ୟଟନ ବିକାଶ ପାଇଁ ପ୍ରସାଦ ଓ ସ୍ବଦେଶୀ ଦର୍ଶନ ଯୋଜନା ଭଳି ଅନେକ ଯୋଜନା ଲାଗୁ କରିଛନ୍ତି ।