
ଧର୍ମଶାଳା– ଆଜି ହେଉଛି ପବିତ୍ର କାର୍ତିକ ପୂର୍ଣ୍ଣମୀ। ଗାଁ ଦାଣ୍ଡ ସବୁଠି ଉତ୍ସବ ମୁଖର । ଏହି ପୂର୍ଣ୍ଣମୀ ଅବସରରେ ଶଦ୍ଧାଳୁମାନେ ପାହାନ୍ତାରେ ଡଙ୍ଗା ଭସାଇ ପରିବାର ପାଇଁ ଶୁଭ ମନାସୀ ଛନ୍ତି । ପରେ ବିଭିନ୍ନ ମନ୍ଦିରକୁ ଯାଇ ପ୍ରଭୁଙ୍କ ଦର୍ଶନ କରଛନ୍ତି । ଏହି ଅବସରରେ ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଠାରେ ଉତ୍କଳ ଗୌରବ ସେବା ସଂସଦ ପକ୍ଷରୁ ଭାଇଚାରାରେ ପାଳିତ ହୋଇଛି ବୋଇତ ବନ୍ଦାଣ ଉତ୍ସବ ଓ ଅନୁଷ୍ଠାନର ୨୪ତମ ବାର୍ଷିକ ଉତ୍ସବ ।
ଆଜି ସକାଳ ସମୟରେ ବ୍ରହ୍ମବରଦାସ୍ଥ ସାନପୋଖରୀଠାରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହୋଇଥିଲା । କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବରୀ ବିଧାୟିକା ସୁନନ୍ଦା ଦାସ, ସିନେ ଅଭିନେତା ସାଗର ମହାନ୍ତି ଓ ଅଭିନେତ୍ରୀ ଶୁଶ୍ରୀ ନେହା ନାଗେଶ୍ଵରୀ ଯୋଗ ଦେଇଥିଲେ । ବିଶିଷ୍ଟ ପଣ୍ଡିତଙ୍କ ଦ୍ଵାରା ନୀତିକାନ୍ତି ଓ ପରମ୍ପରା ଅନୁଯାୟୀ ନୌକାକୁ ପୂଜାର୍ଚ୍ଚନା କରାଯାଇଥିଲା । ଅତିଥିମାନେ ବୋଇତକୁ ବନ୍ଦାପନା କରିବା ପରେ ନୌକାକୁ ମେଲାଣି ଦିଆଯାଇଥିଲା । ଏହି ବୋଇତ ବନ୍ଦାଣକୁ ନେଇ ସ୍ଥାନୀୟ ଅଂଚଳରେ ଆଧ୍ୟାତ୍ମୀକ ଓ ଧାର୍ମୀୟ ପରିବେଶ ସୃଷ୍ଟି ହୋଇଥିଲା । ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଏହି ବୋଇତ ବନ୍ଦାଣ କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ ।
ପରେ ମେଲଣ ପଡିଆଠାରେ ସଂସଦର ୨୪ତମ ବାର୍ଷିକ ଉତ୍ସବ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଂସଦର ସଭାପତି ଜିତେନ୍ଦ୍ର ସାହୁଙ୍କ ସଭାପତିତ୍ଵରେ ବରୀ ବିଧାୟିକା ମୁଖ୍ୟ ଅତିଥି, ସମ୍ମାନୀତ ଅତିଥିଭାବେ ଅଭିନେତା ସାଗର କୁମାର ମହାନ୍ତି ଓ ଅଭିନେତ୍ରୀ ଶୁଶ୍ରୀ ନେହା ନାଗେଶ୍ଵରୀ ଓ ଅନ୍ୟତମ ଅତିଥିଭାବେ ବ୍ରହ୍ମବରଦା ସରପଂଚ ମମତା ଶୁଭଦର୍ଶନୀ ଦେଓ, ବରିଷ୍ଠ ମୁରବୀ ବିପିନ ବିହାରୀ ଦେଓ, ନିମାଇଁ ଚରଣ ଦାସ, ପରମାନନ୍ଦ ସାହୁ, କେଶବ ବେହେରା ଓ ଯୁବନେତା ରାକେଶ ଦେଓ ପ୍ରମୁଖ ଯୋଗଦେଇ କାର୍ୟ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ କରିବା ସହ ଓଡିଶାର ଏହି ପରମ୍ପରା ଅତି ମହାନ, ଉତ୍କଳର ପୂର୍ବ ଗୌରବକୁ ମନେ ପକାଇ ବ୍ରହ୍ମବରଦା ଠାରେ ନିଆରା ଢଙ୍ଗରେ ଏହି ଉତ୍ସବ ପାଳନ କରାଯାଉଥିବା ବେଳେ ଏହି ପରମ୍ପରା ଆଗକୁ ଜାରି ରହୁ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ସଂସଦର ପୂର୍ବତନ ସଭାପତି ପ୍ରଦୀପ ଦାସ ସ୍ଵାଗତ ଭାଷଣ ଓ ମଂଚ ପରିଚାଳନା କରିଥିବା ବେଳେ ଆଡଭୋକେଟ୍ ପ୍ରତାପ କେଶରୀ ଦେଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ସଂସଦ ପକ୍ଷରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ସଂସଦର ଉପ-ସଭାପତି ନିତ୍ୟାନନ୍ଦ ରାଉତ, କୋଷାଧ୍ୟକ୍ଷ ପ୍ରଭାତ ଘଡାଇ, ସଭ୍ୟ ଅମୀୟ ବେହେରା, ମହେଶ ବେହେରା, ପ୍ରବୋଧ ଦାସ, କାବୁଲି ବାରିକ, ରାଜେଶ ଜେନା ଓ ବିର୍ସା ବାରିକ ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସମ୍ପାଦକ ନିରାକାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।