
ଘଟଗାଁ/କେନ୍ଦୁଝର– କେନ୍ଦୁଝର ଶିଶୁ ବିଦ୍ୟାମନ୍ଦିର ସଭାଗୃହରେ ୨୬ ତାରିଖ ରବିବାର ଆଦିବାସୀ ସଂସ୍କୃତି ଗବେଷକ ଓ ପ୍ରସିଦ୍ଧ ଲେଖକ ନୀଳାଦ୍ରି ବିହାରୀ ମିଶ୍ରଙ୍କ “ଆଦି ମଜନ ଜାତି ଜୁଆଙ୍ଗ ଜୀବନଜୀବିକାକୁ ନେଇ ରଚିତ ପୁସ୍ତକ ଜୁଆଙ୍ଗ ଜନଜୀବନ ଉଳଗ ଉନ୍ମୋଚିତ ହୋଇଯାଇଛି । ଜଗନ୍ନାଥ ସଂସ୍କୃତି ଗବେଷକ ତଥା ସରସ୍ଵତୀ ଶିଶୁ ମନ୍ଦିର ସଭାପତି ଡକ୍ଟର ଶୁନିଲ କୁମାର ରଥଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ପୁସ୍ତକକୁ ଲୋକାର୍ପଣ କରାଯାଇଥିଲା । ଆଦିବାସୀ ସଂସ୍କୃତି ଗବେଷକ ଶିକ୍ଷାବିତ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖିକା ପଦ୍ମଶ୍ରୀ ଦମୟନ୍ତି ବେଶ୍ରା ଏହି ପୁସ୍ତକ ଉନ୍ମୋଚନ ସଭାକୁ ଉଦ୍ଘାଟନ କରିଥିଲେ ।
ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ରାମଚନ୍ଦ୍ର ଭଞ୍ଜ ବିଶ୍ଵବିଦ୍ୟାଳୟ କେନ୍ଦୁଝର କ୍ୟାମ୍ପସର ନିର୍ଦ୍ଦେଶକ ପ୍ରଫେସର ବବୃବାହନ ମହାପାତ୍ର ପୁସ୍ତକ ରଚନା ଓ ସମାଜରେ ଏହାର ପ୍ରଭାବ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଧରଣୀଧର ବିଶ୍ଵ ବିଦ୍ୟାଳୟର ପ୍ରାଧ୍ୟାପକ ତଥା ସୁନାମଧନ୍ୟ କବି ସୁଧାକର ଦାସ ପୁସ୍ତକର ସମୀକ୍ଷା କରିଥିଲେ । ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ କବି ପିନାକୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ହରିଚନ୍ଦନପୁର ବ୍ଲକର ଅପହଞ୍ଚ ଅଞ୍ଚଳ ମରାଗୋଳା ଗ୍ରାମର ବିଶିଷ୍ଟ ଜୁଆଙ୍ଗ କଳାକାର ପ୍ରମୋଦ କୁମାର ଜୁଆଙ୍ଗଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଆଦିମ ଅଧିବାସୀ ଜୁଆଙ୍ଗ ଜନଜାତିର ଶିଶୁଖେଳ ବସ୍ତ୍ର ପରିଧାନ ବାସଗୃହ ପିଢ ଗ୍ରାମ ମଢାଙ୍ଗସ ପ୍ରଦେଶର ପ୍ରଶାସନିକ ବ୍ୟବସ୍ଥା ସଙ୍ଗଠିତ ଚଳଣି ପାଇଁ ନୀତିନିୟମ କର୍ମକର୍ତା ଚୟନ, ଗୁଣିଆ ରାଉଳିଆ ଓ କାଳି ଶୀଚେଙ୍କ ଚିତାକୁଟା ଲୋକ ବିଶ୍ଵାସ ଲୋକ ସଂସ୍କୃତି ଜୁଆଙ୍ଗଙ୍କ ଶୁଦ୍ଧ କ୍ରିୟା, ସାମାଜିକ ବିଚାର ବ୍ୟବସ୍ଥା ଓ ପାରମ୍ପାରିକ ଶିକ୍ଷାପରି ଗୁରୁତ୍ଵପୂର୍ଣ ବିଷୟ ଉପରେ ଏହି ପୁସ୍ତକ ଲେଖା ହୋଇଥିବା ପୁସ୍ତକର ଲେଖକ ନୀଳାଦ୍ରି ବିହାରୀ ମିଶ୍ର ପ୍ରକାଶ କରିଛନ୍ତି । ପୂର୍ବରୁ ଶ୍ରୀ ମିଶ୍ର ଜୁଆଙ୍ଗ ଜନ ଅଙ୍ଗାଅଙ୍ଗୀ ଜଡିତ ହୋଇ”ଆଗ ଜୁଆଙ୍ଗ ଶବ୍ଦକୋଷ, ଜୁଆଙ୍ଗ ବ୍ୟାକରଣ, ଜୁଆଙ୍ଗ ଲୋକନୃତ୍ୟ, ଲୋକଗୀତ, ଲୋକ ସଂସ୍କୃତି, ଲୋକ ସାହିତ୍ୟ ପରି ୭ଟି ପୁସ୍ତକ ଲୋକାର୍ପିତ କରିଛନ୍ତି ।
ସୁନାମଧନ୍ୟ ଆଦିବାସୀ ଜନଜାତି ଲେଖକ ଶ୍ରୀ ମିଶ୍ରଙ୍କ ଏହି ପୁସ୍ତକ ବିଭିନ୍ନ କ୍ଷେତ୍ରରେ ଆଦିବାସୀଙ୍କ ବିକାଶରେ ସହାୟକ ହେବ ବୋଲି ଲେଖକ ମହଲରେ ଚର୍ଚ୍ଚା ହେଉଛି । ଏହି ପୁସ୍ତକ ଉନ୍ମୋଚନ ପରେ ବିଭିନ୍ନ ମହଲରେ ଶ୍ରୀ ମିଶ୍ରଙ୍କୁ ପ୍ରଶଂସାର ସୁଅ ଛୁଟୁଛି ।