ଗଞ୍ଜାମ– ବ୍ରହ୍ମପୁର ସଦର ଥାନା ନାରାୟଣପୁର ଗ୍ରାମରେ ଗତ ୨୧ ତାରିଖରେ ଶଙ୍କର ବିଷୋୟୀଙ୍କ ଶବ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ଘରୁ ଉଦ୍ଧାର କରାଯାଇଥିଲା । ପାରିପାର୍ଶ୍ଵିକ ସ୍ଥିତିକୁ ଅନୁଧ୍ୟାନ କରି ପୋଲିସ ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜ୍ଜୁ କରିଥିଲା । ଶଙ୍କରଙ୍କୁ ତାଙ୍କ ପତ୍ନୀ ଶିବାନୀ ସାହୁ ଏକ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି । ମାମଲାରେ ଶିବାନୀଙ୍କୁ ଆଜି ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ଅନିତା ସାହୁ ସୂଚନା ଦେଇଛନ୍ତି ।
ପ୍ରକାଶ ଥାଉକି, ଗତ ୨୦ ତାରିଖରେ ଶଙ୍କର ମଦ ପିଇ ଶିବାନୀଙ୍କ ସହିତ ଗଣ୍ଡଗୋଳ କରିଥିଲେ । ଏବଂ ଏକ କାଠ ଫାଳିଆରେ ତାଙ୍କୁ ମାଡ ମାରିଥିଲେ । ଶିବାନୀ ସେହି କାଠ ଫାଳିଆକୁ ଛଡାଇ ଶଙ୍କରଙ୍କ ମୁଣ୍ଡକୁ ବାରମ୍ବାର ପିଟିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ଶିବାନୀ ତାଙ୍କ ବାପଘର ବନ୍ଥପଲ୍ଲୀ ଗ୍ରାମକୁ ଚାଲି ଯାଇଥିଲେ । ପୋଲିସ ଘଟଣାର ଖୋଳତାଡ଼ କରି ଶିବାନୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।