ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କୀ ବାତ୍ର 107ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବିଧାନ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, ‘ନଭେମ୍ବର ୨୬ ତାରିଖର ଆଜିର ଦିନଟି ଅତି ଗୁରୁତ୍ୱପୂର୍ଣ୍ଣ । ୧୯୪୯ ମସିହାରେ ଆଜିର ଦିନରେ ହିଁ ସମ୍ବିଧାନ ସଭା ଭାରତର ସମ୍ବିଧାନ ପ୍ରଣୟନ କରିଥିଲେ । ୨୦୧୫ରେ ଯେତେବେଳେ ଆମେ ବାବା ସାହେବ ଆମ୍ବେଦକରଙ୍କ ୧୨୫ତମ ଜୟନ୍ତୀ ପାଳନ କରୁଥିଲୁ, ସେତେବେଳେ ମନକୁ ଗୋଟିଏ କଥା ଆସିଥିଲା ଯେ, ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯିବା ଉଚିତ । ସେହିଦିନ ଠାରୁ ଆଜିର ଦିନଟିକୁ ପ୍ରତିବର୍ଷ ସମ୍ବିଧାନ ଦିବସ ରୂପେ ଆମେ ପାଳନ କରିଆସୁଛୁ । ମୁଁ ସମସ୍ତ ଦେଶବାସୀଙ୍କୁ ସମ୍ବିଧାନ ଦିବସ ଉପଲକ୍ଷେ ଶୁଭକାମନା ଜଣାଉଛି । ଆଉ ଆମେ ସବୁ ମିଶି ନାଗରିକର କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଇ, ବିକଶିତ ଭାରତର ସଂକଳ୍ପକୁ ନିଶ୍ଚିତ ଭାବେ ପୂରଣ କରିବା ।
ଆମେ ସମସ୍ତେ ଜାଣୁ ଯେ, ଏହି ସମ୍ବିଧାନ ପ୍ରଣୟନରେ ୨ ବର୍ଷ ୧୧ ମାସ ୧୮ ଦିନ ସମୟ ଲାଗିଥିଲା । ଶ୍ରୀ ସଚ୍ଚିଦାନନ୍ଦ ସିହ୍ନା ସମ୍ବିଧାନ ସଭାର ସବୁଠାରୁ ବୟସ୍କ ସଭ୍ୟ ଥିଲେ । ୬୦ରୁ ଅଧିକ ଦେଶର ସମ୍ବିଧାନଗୁଡ଼ିକର ଅଧ୍ୟୟନ ଏବଂ ସୁଦୀର୍ଘ ଆଲୋଚନା ପରେ ଆମ ସମ୍ବିଧାରର ଡ୍ରାଫ୍ଟ ତିଆରି ହୋଇଥିଲା । ଡ୍ରାଫ୍ଟ ତିଆରି ହେବା ପରେ ଏହାକୁ ଚୂଡ଼ାନ୍ତ ରୂପ ଦିଆଯିବା ପୂର୍ବରୁ ସେଥିରେ ୨,୦୦୦ ରୁ ଅଧିକ ସଂଶୋଧନ କରାଯାଇଥିଲା । ୧୯୫୦ ମସିହାରେ ସମ୍ବିଧାନ କାର୍ଯ୍ୟକାରୀ ହେବାପରେ ମଧ୍ୟ ଆଜିପର୍ଯ୍ୟନ୍ତ ମୋଟ ୧୦୬ ଥର ସମ୍ବିଧାନରେ ସଂଶୋଧନ କରାଯାଇଛି । ସମୟ, ପରିସ୍ଥିତି, ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ସରକାର ଭିନ୍ନ ଭିନ୍ନ ସମୟରେ ଏଥିରେ ସଂଶୋଧନ କଲେ । କିନ୍ତୁ ଏହା ଦୁର୍ଭାଗ୍ୟର ବିଷୟ ଯେ, ସମ୍ବିଧାନରେ ପ୍ରଥମ ସଂଶୋଧନ ଫ୍ରିଡମ୍ ଅଫ୍ ସ୍ପିଚ୍ ଏବଂ ଫ୍ରିଡମ୍ ଅଫ୍ ଏକ୍ସପ୍ରେସନ୍ ର ଅଧିକାରକୁ ସୀମିତ କରିବା ପାଇଁ କରାଯାଇଥିଲା । ଅନ୍ୟପକ୍ଷରେ ସମ୍ବିଧାନର ୪୪ତମ ସଂଶୋଧନ ମାଧ୍ୟମରେ ଜରୁରୀକାଳୀନ ପରିସ୍ଥିତି ସମୟରେ ହୋଇଥିବା ତ୍ରୁଟିଗୁଡ଼ିକୁ ସଂଶୋଧନ କରାଯାଇଥିଲା ।
ଏହା ମଧ୍ୟ ବହୁତ ପ୍ରେରଣାଦାୟକ ଯେ, ସମ୍ବିଧାନ ସଭାର କିଛି ସଭ୍ୟଙ୍କୁ ମନୋନୀତ କରାଯାଇଥିଲା, ଯେଉଁଥିରେ ୧୫ ଜଣ ମହିଳା ଥଲେ । ସେମାନଙ୍କ ମଧ୍ୟରୁ ଜଣେ ସଦସ୍ୟା ହଂସା ମେହେତା ମହିଳାମାନଙ୍କ ଅଧିକାର ଏବଂ ସେମାନଙ୍କ ପାଇଁ ନ୍ୟାୟ ସପକ୍ଷରେ ଦୃଢ଼ ସ୍ୱର ଉତ୍ତୋଳନ କରିଥିଲେ । ସେତେବେଳେ ଭାରତ ସେଭଳି କିଛି ଦେଶମାନଙ୍କ ସହ ସମକକ୍ଷ ଥିଲା, ଯେଉଁଠି ସମ୍ବିଧାନ ଜରିଆରେ ମହିଳାମାନଙ୍କୁ ମତଦାନର ଅଧିକାର ଦିଆଯାଇଥିଲା । ରାଷ୍ଟ୍ର ଗଠନରେ ଯଦି ସମସ୍ତଙ୍କ ଯୋଗଦାନ ରହିବ, ତେବେ ଯାଇ ସମସ୍ତଙ୍କ ବିକାଶ ହୋଇପାରିବ । ସମ୍ବିଧାନ ନିର୍ମାତାମାନଙ୍କ ସେହି ଦୂରଦୃଷ୍ଟିକୁ ଅନୁସରଣ କରି ଏବେ ଭାରତର ସଂସଦ ନାରୀ ଶକ୍ତି ବନ୍ଦନ ଅଧିନିୟମ ଗୃହୀତ କରିଥିବାରୁ ମୁଁ ସନ୍ତୋଷ ଅନୁଭବ କରୁଛି । ନାରୀ ଶକ୍ତି ବନ୍ଦନ ଅଧିନିୟମ ଆମ ଗଣତନ୍ତ୍ରର ସଂକଳ୍ପ ଶକ୍ତିର ଏକ ଉଦାହରଣ । ଏହା ବିକଶିତ ଭାରତରେ, ଆମର ସଂକଳ୍ପକୁ ଗତିଶୀଳ କରିବାରେ ମଧ୍ୟ ସେତିକି ସହାୟକ ହେବ ବୋଲି ଆଶଶ ବ୍ୟକ୍ତ କରିଛନ୍ତି ପିଏମ ମୋଦି ।