ଭୁବନେଶ୍ୱର– ୪ ଦିନ ମଧ୍ୟରେ ଓଡିଶା ବିଧାନସଭାର ଶୀତ ଅଧିବେଶ କୁ ବନ୍ଦ କରିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ । ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି କୌଣସି କାରଣ ନ ଥାଇ ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କରି ଦିଆଗଲା । ଜଣେ ବିଧାୟକଙ୍କ ର ଦିନକୁ ୮ ପ୍ରଶ୍ନ ରହିଥାଏ । ତେଣୁ ହଜାର ହଜାର ପ୍ରସଙ୍ଗ ଓ ପ୍ରଶ୍ନ ଆଲୋଚନା ନ ହୋଇ ରହିଗଲା । ଆଡ଼ମ୍ବରପୂର୍ଣ୍ଣ ଭାବେ ଟେଂଟ ବାନ୍ଧି ହେଲିକାପ୍ଟରରେ ଯାଇ ଗୋଟିଏ ଦରଖାସ୍ତ ଆଣିବା ପାଇଁ ସିଏମଓ ପୁଳା ପୁଳା ଟଙ୍କା ଖର୍ଚ୍ଚ କଲେ । କିନ୍ତୁ ଏଠି ଗାନ୍ଧୀ ମାର୍ଗରେ ବସିଥିବା ଲୋକଙ୍କର ଗୁହାରି ଶୁଣିବା ପାଇଁ କାହାର ଦେଖାନାହିଁ । ଯାହା କି ବିଧାନସଭାରେ ଆଲୋଚନା ହୋଇଥିଲେ ସରକାରଙ୍କ ମୁଖା ଖୋଲି ଯାଇଥାନ୍ତା । ତେଣୁ ସରକାର ଭୟଭୀତ ହୋଇ ପଳାୟନପନ୍ଥୀ ହୋଇଛନ୍ତି ବୋଲି ।
ସେହିପରି କ୍ୟାବିନେଟରେ ଆଦିବାସୀ ଜମି ହସ୍ତାନ୍ତର ସଂଶୋଧନ ଆଇନ ଆଣି ଆଦିବାସୀମାନଙ୍କ ଜମି ଦଲାଲ ମାନଙ୍କୁ ଟେକିଦେବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା । ବିଧାନସଭାରେଏହାର ବିରୋଧ ହେବା ପରେ ରାଜ୍ୟ ସରକାର ସ୍ଥଗିତ କଲେ । କିନ୍ତୁ ପ୍ରଶ୍ନ ହେଉଛି ଜଣେ ସଚିବ କେମିତି କ୍ୟାବିନେଟ ନିଷ୍ପତିକୁ ସ୍ଥଗିତ ବୋଲି ଚିଠି କରିବେ । ଯାହାକୁ ଆଧାର କରି ମନ୍ତ୍ରୀ କେମିତି ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ । ବର୍ତମାନ ସେହି ନିଷ୍ପତିକୁ ଆଦିବାସୀ ଉପଦେଷ୍ଟା ପରିଷଦକୁ ପଠାଇ ଦିଆଗଲା । ବିଜେପି ଦଳର ସଦସ୍ୟ ମଧ୍ୟ ସେଠି ଉପସ୍ଥିତ ଥିଲେ ଟିଏସି ବୈଠକରେ କୌଣସି ଆଲୋଚନା ହୋଇନାହିଁ ।
ରାଜ୍ୟ ସରକାର ଆଦିବାସୀ ବିରୋଧୀ, ଜନ ବିରୋଧି ସେଥିପାଇଁ ବିଧାନସଭାକୁ ବନ୍ଦ କରି ପଳାୟନପନ୍ଥୀ ହୋଇଛନ୍ତି । ଏହି ଆଇନକୁ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ଆମେ ସବୁ ଆଇଟିଡ଼ିଏ ଏବଂ ଆଦିବାସୀ ବହୁଳ ଅଂଚଳକୁ ଯାଇ ସଭା କରି ରାଜ୍ୟ ସରକାରଙ୍କ ଷଡ଼ଯନ୍ତ୍ର ବିଷୟରେ ଜଣାଇବୁ ବୋଲି କହିଛନ୍ତି ମୋହନ ମାଝୀ ।