-
ସମ୍ମାନ ଓ ସ୍ୱାଭିମାନର ସହ ଓଡ଼ିଆ ଯୁବ ସମାଜ ସ୍ୱାବଲମ୍ବୀ ହେଉ- ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ଓଡ଼ିଆ ଯୁବ ସମାଜର ଆବଶ୍ୟକତା ହେଉଛି ସମ୍ମାନ ଓ ସ୍ୱାଭିମାନର ସହ ସ୍ୱାବଲମ୍ବୀ ହେବା ଏବଂ ଏହି ସ୍ୱାବଲମ୍ବୀ ହେବା ପାଇଁ ପରିଶ୍ରମ କରିବା ଦରକାର ବୋଲି ଶନିବାର ଭୁବନେଶ୍ୱର ଠାରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ନେହେରୁ ଯୁବ କେନ୍ଦ୍ର ସଂଗଠନ ଦ୍ୱାରା ଆୟୋଜିତ “ରାଜ୍ୟସ୍ତରୀୟ ଯୁବ ମହୋତ୍ସବ – ୨୦୨୩”କୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଯୁବଗୋଷ୍ଠୀଙ୍କ ଭାବନାକୁ ସଠିକ୍ ଦିଗରେ ପ୍ରେରିତ କରିବା ଏବଂ ସେମାନଙ୍କ ମଧ୍ୟରେ ସାଂସ୍କୃତିକ ବିବିଧତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯୁବକମାନଙ୍କ ଉତ୍ସାହ, ସାହସ, ସୃଜନଶୀଳତା ସମାଜକୁ ଅନୁପ୍ରାଣିତ କରିବା ସହ ଦିଗଦର୍ଶନ ଦେଇଥାଏ । ଆମର ଜାତି, ସମାଜ, ଭାଷାକୁ ଅକ୍ଷୁର୍ଣ୍ଣ ରଖିବା ଭଳି ଭାବନା ଯୁବକଙ୍କ ମନରେ ତିଆରି କରିବାକୁ ପଡିବ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ଆରମ୍ଭ ହୋଇଥିବା ମାଇ ଭାରତ ସଂଗଠନ ବିକଶିତ ଭାରତର ନିର୍ମାଣରେ ଯୁବଶକ୍ତିଙ୍କ ଏକଜୁଟ କରିବାର ବଡ ସୁଯୋଗ ଦେଇଛି ।
ଭାରତ ଅ୨୦୪୭ କଥାବସ୍ତୁ ଉପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ଯୁବକ ଯୁବତୀଙ୍କୁ ବିକଶିତ ଭାରତ ପାଇଁ ପଂଚ ପ୍ରଣର ସଂକଳ୍ପ ପାଠ କରାଇଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ ଆଜିର ଯୁବପିଢିଙ୍କ କାନ୍ଧରେ ହିଁ ଦେଶ ଚରମ ବୈଭବକୁ ପହଂଚିବ । ଏଥିପାଇଁ ଆମକୁ ଦାସତ୍ୱ ଓ ବିଦେଶୀ ମାନସିକତାକୁ ଦୂର କରିବାକୁ ହେବ । ଦେଶର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବ କରିବାକୁ ହେବ । ଦେଶର ଏକତା ଓ ଅଖଣ୍ଡତାକୁ ଯେଭଳି କ୍ଷତି ନପହଂଚିବ, ସେଥିପାଇଁ ଆଗଭର ହେବାକୁ ପଡିବ । ନାଗରିକ ଭାବେ କେବଳ ଅଧିକାର ନୁହେଁ ବରଂ ସମାଜର କର୍ତବ୍ୟ ଓ ଦାୟିତ୍ୱ ନେବା ପାଇଁ ପଡିବ । ଦାୟିତ୍ୱ ନେଲେ ହିଁ ୧୦ ଜଣଙ୍କ ଅଧିକାର ସୁରକ୍ଷିତ ରହିବ । ଚାକିରି କରିବା ପାଇଁ ନୁହେଁ, ଚାକିରି ଦେବା ପାଇଁ ପ୍ରସ୍ତୁତ ହେବା ପାଇଁ ପଡ଼ିବ । ଏଥିପାଇଁ ନିଜ ନିଜ ଢଙ୍ଗରେ ଯୋଜନା କରିବା ସହ ବଡ ଭାବିବା ଓ ବଡ ସ୍ୱପ୍ନ ଦେଖିବା ଦରକାର । ପରିଶ୍ରମୀ ଓ ବୁଦ୍ଧିମତା ଓଡ଼ିଆ ପିଲାମାନେ ନିଜ ବିଷୟରେ ନୁହେଁ ବରଂ ପରିବାର ଓ ସମାଜ ପାଇଁ ଚିନ୍ତା କରିଥାଏ । ସାଧାରଣ ପରିବାରର ପିଲା ମାନେ ଏବେ ଅପାର ସମ୍ଭାବନାର ହିମାଳୟ ପର୍ବତର ଶିଖର ଛୁଇଁଛନ୍ତି ।
ସାମାନ୍ୟ ଘର ପିଲାମାନେ ତଥା ବଲାଙ୍ଗୀରର ୱିଙ୍ଗ୍ କମାଣ୍ଡର ନିଖିଲ ରଥ ମିଶନ ‘ଗଗନଯାନ’ର ଅଂଶ ହୋଇଛନ୍ତି । ଓଡ଼ିଆ ବୈଜ୍ଞାନିକ ସୁସ୍ମିତା ମହାନ୍ତିଙ୍କ ନାଁ ଫୋର୍ବ୍ସ ପତ୍ରିକାରେ ସ୍ଥାନ ପାଇଛି । ଓଡ଼ିଆ ତଥା ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ଗବେଷଣା କରୁଥିବା ପ୍ରତୀକ ପଟ୍ଟନାୟକ ହୁଅନ୍ତୁ ଉଦ୍ୟୋଗୀ ମିନୁଶ୍ରୀ ମଧୁସ୍ମିତା ହୁଅନ୍ତୁ କିମ୍ବା ୱିକିପଡିଆରେ ସମ୍ପାଦନା କରୁଥିବା ସଂଗ୍ରାମ ସେନାପତି ହୁଅନ୍ତୁ ସମସ୍ତେ ନିଜ ବଳରେ ଆଗକୁ ବଢିଛନ୍ତି । ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳର ଦେବବ୍ରତ, ସ୍ମୃତିରଞ୍ଜନ, ରଶ୍ମିରଞ୍ଜନ, ଶୁଭକାନ୍ତ ଓ ଜ୍ଞାନରଞ୍ଜନ କରୋନା ସମୟରେ ଲୋକମାନେ କୋଭିଡ୍ ପରୀକ୍ଷା ନ କରୁନଥିବା ବେଳେ ଏହାର ସମାଧାନ ଚିନ୍ତା କରି ସେମାନେ ଏକ ଭିଡିଓ ତିଆରି କରି ସମାଜରେ ସଚେତନତା ସୃଷ୍ଟି କରିଥିଲେ ।
୨୦୩୬ରେ ଓଡ଼ିଶା ଭାଷା ଭିତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ୨୦୪୭ ସୁଦ୍ଧା ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ । ଆଗାମୀ ୨୦୩୬ ଓ ୨୦୪୭ ପାଇଁ ଗାଁରୁ ରାଜ୍ୟ ପର୍ଯ୍ୟନ୍ତ ମୋର ଦାୟିତ୍ୱ କଣ, ତା’ ଉପରେ ବିଚାର କରି ଯୁବବର୍ଗମାନେ କାର୍ଯ୍ୟ କରିବା ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ରାଜ୍ୟସ୍ତରୀୟ ଯୁବ ମହୋତ୍ସବରେ ଚିତ୍ରାଙ୍କନ, କବିତା ଲେଖନୀ, ବକ୍ତୃତା ଏବଂ ସାଂସ୍କୃତିକ କାର୍ଯକ୍ରମ ବ୍ୟତିତ ମୋବାଇଲ ଫଟୋଗ୍ରାଫି ଭଳି ନୂଆ ପ୍ରତିଯୋଗିତା ଯୋଡାଯାଇଥିବାରୁ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଥିଲେ । ସେ କହିତିୱେ ଓଡ଼ିଶାର କଳା, ସଂସ୍କୃତିର ଅପାର ପ୍ରୟୋଗଶାଳା, ଅପାର ଭଣ୍ଡାର । ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ମାଧ୍ୟମରେ ଯେଉଁ ବିଜେତାମାନେ ଦିଲ୍ଲୀରେ ଜାତୀୟ ସ୍ତରରେ ଭାଗନେବେ, ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।