ଭୁବନେଶ୍ୱର – ନାଗରିକତା ସଂଶୋଧନ ଆଇନ (ସିଏଏ) ଉପରେ ସଚେତନତା ସୃଷ୍ଟି କରିବ ବିଜେପି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଆଇନ ସମ୍ବନ୍ଧରେ ସଚେତନତା ବାର୍ତା ଦେଇ ଟୁଇଟରରେ ହ୍ୟାସଟ୍ୟାଗ ଇଣ୍ଡିଆ ସପୋର୍ଟ ସିଏଏ କ୍ୟାମ୍ପେନ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଗାମୀ ୧୫ ଦିନରେ ଓଡିଶାରେ ସୋସିଆଲ ମିଡିଆ ଟୁଇଟର ମାଧ୍ୟମରେ ଓଡିଶା ସପୋର୍ଟ ସିଏଏ କ୍ୟାମ୍ପେନ କରାଯିବାର ଲକ୍ଷ୍ୟ ରଖାଯାଇଛି । ସିଏଏର ସମର୍ଥନ କରି ଓଡିଶାରେ ୧୦ ଲକ୍ଷ ଟୁଇଟ କରାଯିବା ସହ ଏହି ଆଇନ ସମ୍ବନ୍ଧରେ ସାଧାରଣ ଜନତାଙ୍କୁ ଅବଗତ କରାଯିବ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁର୍ଣ୍ଣ ହେବନି । ବରଂ ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ରୂପେ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀ ମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି । ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଏହି ଆଇନ ବିରୁଦ୍ଧରେ କୁପ୍ରଚାର କରି ଦେଶର ଜନତାଙ୍କୁ ବିଭ୍ରାନ୍ତ କରୁଛନ୍ତି ।
ନାଗରିକତା ଦେବା ପାଇଁ ଏହି ଆଇନ ହୋଇଥିବାବେଳେ ବିରୋଧୀ ଦଳ ମାନେ ଦେଶରେ ନିଆଁ ଲଗାଇ ନିଜର ରାଜନୈତିକ ସ୍ୱାର୍ଥ ହାସଲ କରିବା ପାଇଁ ଅପଚେଷ୍ଟା କରୁଛନ୍ତି । କିନ୍ତୁ ଏବେ ଦେଶବାସୀ ଏହି ଆଇନ ସମ୍ବନ୍ଧରେ ଅବଗତ ହେବା ସହ ଏହାକୁ ସମର୍ଥନ କରିବା ଆରମ୍ଭ କଲେଣି । ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେଶ ସମେତ ସାରା ରାଜ୍ୟରେ ଏହି ଆଇନକୁ ନେଇ ଜନ ସଚେତନ କାର୍ଯ୍ୟକ୍ରମ କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି ।