କେନ୍ଦ୍ରାପଡ଼ା – କେନ୍ଦ୍ର ସରକାରଙ୍କ ପ୍ରବର୍ତିତ ଓ ରାଜ୍ୟ ସରକାରଙ୍କ ଅନୁମୋଦିତ ନୂଆ ଟ୍ରାଫିକ୍ ଆଇନ୍ ଦ୍ୱାରା ଜୀବନ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଥିବାବେଳେ ରାଜପଥ କଡରେ ଥିବା ମଠ ବାର୍ ଓ ଢାବା ବ୍ୟବସାୟ ଉପରେ ଏହାର ପ୍ରଭାବ ପଡିଛି । ଗାଡି ଚାଳକ ମାନଙ୍କ ଉପରେ ନିର୍ଭର କରୁଥିବା ଏହି ଢାବା ଓ ବାର୍ ଗୁଡିକର କାରବାର ବହୁ ପରିମାଣରେ ବାଧାପ୍ରାପ୍ତ ହୋଇଛି । ଫଳରେ ମଦ ବାର୍ ଏବଂ ଢାବା ବନ୍ଦ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି ।
ମଦ ବିକ୍ରିହେବା ଦ୍ୱାରା ରାଜ୍ୟ ସରକାର ପ୍ରାୟ ବର୍ଷକୁ ୪ ହଜାର କୋଟି ଟଙ୍କା ଅବକାରୀ ରାଜସ୍ୱ ପାଉଛନ୍ତି । ଏଥିପାଇଁ ଜିଲ୍ଲାରେ ଅନେକ ମଦ ଦୋକାନ ଏବଂ ବାର୍ ଖୋଲିଛି ଓ ନୂଆ ନୂଆ ମଦ ଦୋକାନ ଗ୍ରାମାଂଚଳରେ ଖୋଲାଯିବା ପାଇଁ ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି । ମଦ୍ୟପାନ କରୁଥିବା ଅନେକ ବ୍ୟକ୍ତି ନିୟମିତ ବାର୍ରେ ମଦ୍ୟପାନ କରିବା ପରେ ବାଇକ୍ କିମ୍ବା ଚାରିଚକିଆ ଗାଡିରେ ଘରକୁ ଫେରିଥାନ୍ତି । ଏହାସହ ଦୂର ସ୍ଥାନକୁ ବାଇକ୍ରେ ଯାତ୍ରା କରୁଥିବା ଚାଳକ ଓ ଲାଇନ୍ ଟ୍ରକର ଚାଳକମାନେ ଏହି ଢାବା ଓ ବାର୍ରେ ମଦ୍ୟପାନ କରି ମନ ଖୁସିରେ ଗାଡି ଚଳାଇ ଯାତ୍ରା କରିଥାନ୍ତି । ନୂତନ ଟ୍ରାଫିକ୍ ନିୟମ ଲାଗୁ ହେବାପରେ ମଦ୍ୟପାନ କରୁଥିବା ଗ୍ରାହକମାନେ ଭୟରେ ଆଉ ଗାଡି ଚଢି ବାର୍କୁ ଆସୁନାହାଁନ୍ତି । ବାର୍ରେ ମଦ ବିକ୍ରି ପ୍ରାୟ ୮୦ ପ୍ରତିଶତ କମିଯାଇଛି । କେହି କେହି ଲୁଚିଛପି ବାର୍କୁ ଆସୁଥିବା ଦେଖାଯାଇଛି । ସେହିପରି ଅଧିକାଂଶ ଗ୍ରାହକ ଢାବାରେ ମଦ୍ୟପାନ କରିବା ପରେ ଖାଦ୍ୟ ଖାଇଥାନ୍ତି । ମଦ୍ୟପାନ କରି ଗାଡି ଚଳାଇ ଘରକୁ ଗଲେ ପୋଲିସ ହାତରେ ଧରାପଡି ଜରିମାନା ଦେବାକୁ ପଡିବ । ଏହି ଭୟରେ ଅନେକ ଗ୍ରାହକ ଢାବାକୁ ଆସୁନଥିବା ଦେଖାଯାଇଛି । ଏହି ଢାବା ଓ ବାର୍ ମାଲିକଙ୍କ ବ୍ୟବସାୟ ଅର୍ଦ୍ଧାଧିକ ହ୍ରାସ ପାଇଥିବା ଜଣାପଡିଛି । ଅପରପକ୍ଷେ ଜିଲ୍ଲା ଏନ୍ଫୋର୍ସମେଂଟ୍ ଟିମ୍ ବିଭିନ୍ନ ଢାବା ଏବଂ ହୋଟେଲ୍ ଉପରେ ଦୁଇ ଦିନ ଧରି ଚଢାଉ କରିବା ପରେ ବିଭିନ୍ନ ଅନିୟମିତତା ପଦାକୁ ଆସିଛି । ଏହି ଅନିୟମିତତା ପାଇଁ ହୋଟେଲ୍ ବ୍ୟବସାୟ ଉପରେ ପ୍ରଭାବ ପଡିଛି । ଏହାଫଳରେ ବ୍ୟବସାୟ ମଧ୍ୟ କମି ଯିବାର ଆଶଙ୍କା ସୃଷ୍ଟି ହୋଇଛି । ମଦ୍ୟପ ଚାଳକଙ୍କୁ ଧରି ଜରିମାନା ଆଦାୟ କରିବା କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଉଛି । ଏହି ଧରପକଡ ପ୍ରଭାବରେ ସଡକ ଦୁର୍ଘଟଣା କେନ୍ଦ୍ରାପଡା ଜିଲ୍ଲାରେ ପ୍ରାୟ ଘଟିନଥିବା ଦେଖିବାକୁ ମିଳିଛି । ପୂର୍ବରୁ ଦୈନିକ ୩/୪ଟି ସଡକ ଦୃର୍ଘଟଣା ଘଟି ମୃତାହତ ହେଉଥିବାବେଳେ ଏଥିରୁ ଅଧିକାଶଂ ମଦ ପିଇ ଗାଡି ଚଳାଇବା ଯୋଗୁ ଘଟୁଥିବା ଜଣାପଡିଥିଲା । ତେବେ ଏହି ୧୨ ଦିନ ମଧ୍ୟରେ କୈାଣସି ସଡକ ଦୃର୍ଘଟଣାରେ କେହି ମୃତାହତ ହୋଇଥିବା ନଜରକୁ ଆସିନାହିଁ । ଅନ୍ୟ ପକ୍ଷରେ ବହୁ ଛୋଟ ପିଲା ନାବାଳକ ଦ୍ରୁତ ଗତିରେ ଗାଡି ଚଳାଇ ଜୋର୍ରେ ହର୍ନ ମାରି ଓ ଫଟକା ଫୁଟାଇ ବହୁ ଲୋକଙ୍କୁ ଦୁର୍ଘଟଣା ଘଟାଉଥିଲେ । ତା ମଧ୍ୟ କମି ଯାଇଥିବା ଦେଖାଦେଇଛି । ବେପରୁଆ ଗାଡି ଚଳାଇବା, ଅନାବଶ୍ୟକ ଭାବେ ଗାଡିରେ ଜୋର୍ରେ ହର୍ନ ବଜାଇ ଜନ ଗହଳି ସ୍ଥାନରେ ଜବରଦସ୍ତ ପୁରାଇବା ଫଳରେ ଦୁର୍ଘଟଣା ଘଟୁଥିଲା । ଏହା ମଧ୍ୟ ବହୁ ପରିମାଣରେ ହ୍ରାସ ପାଇଛି । ତେବେ ଏହି ଟ୍ରାଫିକ୍ ନିୟମ କଟକଣାକୁ ବହୁ ସାଧାରଣ ଜନତା ପ୍ରଶଂସା କରୁଥିବାବେଳେ କେତେକ ସୈାକିନ୍ ଗାଡି ଚାଳକ ନାପସନ୍ଦ କରୁଥିବା ଦେଖାଦେଇଛି । ତେବେ ଉଭୟ ବ୍ୟବସାୟ ବାଣିଜ୍ୟକୁ ସୁ ବ୍ୟବସ୍ଥିତ କରିବା ଓ ଜୀବନ ରକ୍ଷା କୁ ପ୍ରାଥମିକତା ଦେବା କ୍ଷେତ୍ରରେ କଣ ପ୍ରତିକାର କରାଯାଇପାରିବ ଏ ନେଇ ବୁଦ୍ଧିଜିବୀ, ରାଜନେତା ଓ ପ୍ରଶାସନ ଉତମ ସମନ୍ୱୟ ରକ୍ଷା କରିବାକୁ ଦାବି ହେଉଛି ।