-
ସରଳ ଓ ସ୍ୱଚ୍ଛ ପୋଷ୍ୟ ସନ୍ତାନ ପ୍ରକ୍ରିୟାକୁ ଲୋକାଭିମୁଖୀ ପାଇଁ ଜିଲ୍ଲା ପ୍ରଶାସନର ପ୍ରୟାସ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ସାରା ଭାରତରେ ନଭେମ୍ବର ମାସକୁ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ଭାବେ ପାଳନ ଅବସରରେ ୨୨ ନଭେମ୍ବର ୨୦୨୩ ରିଖ ଦିନ ପୁରୀ ଜିଲ୍ଲା ପ୍ରଶାସନର ଜିଲ୍ଲା ଶିଶୁ ସୁରକ୍ଷା ଶାଖା ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପୋଷ୍ୟ ସନ୍ତାନ ଗ୍ରହଣ ନିୟମାବଳୀ -2022 ସମ୍ପର୍କିତ ଏକଦିବସୀୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ ଅତିଥିମାନଙ୍କୁ ସ୍ୱାଗତ କରି କାର୍ଯ୍ୟକ୍ରମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ l ପୁରୀ ଜିଲ୍ଲାରେ ପୋଷ୍ୟ ସନ୍ତାନ କାର୍ଯ୍ୟକ୍ରମକୁ ସୁଦୂରପ୍ରସାରୀ କରିବା ପାଇଁ ଜିଲ୍ଲା ପ୍ରଶାସନର ସ୍ୱାସ୍ଥ୍ୟ ବିଭାଗ ଅନ୍ତର୍ଗତ ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ମହିଳା ଶିଶୁ ବିକାଶ ବିଭାଗର ବ୍ଲକ ତଥା ପଂଚାୟତ ସ୍ତରୀୟ କର୍ମକର୍ତ୍ତା ମାନଙ୍କ ସହିତ ଜିଲ୍ଲା ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗୃହର କର୍ମକର୍ତ୍ତା, ସ୍ୱାଧାର ଗୃହର କର୍ମୀ ତଥା ଶିଶୁ ମଙ୍ଗଳ କମିଟିର ସଦସ୍ୟଙ୍କ ସମେତ ମୋଟ ୭୫ଜଣ ଉକ୍ତ କର୍ମଶାଳାରେ ଉପସ୍ଥିତ ରହି ସକ୍ରିୟ ଅଂଶ ଗ୍ରହଣ କରିଥିଲେ l ଉକ୍ତ ଏକଦିବସୀୟ କର୍ମଶାଳାରେ ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୋଷ୍ୟ ସନ୍ତାନ ଗ୍ରହଣର ସରଳ ଏବଂ ସହଜ ପ୍ରକ୍ରିୟା ସମ୍ପର୍କରେ ତଥା ଏହାର ଆଇନଗତ ଦିଗ ବିଷୟରେ ଗୋଷ୍ଠୀ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ l ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିରଜା ଶଙ୍କର ରଥ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମନୋଜ କୁମାର ମହାନ୍ତି, ଡାକ୍ତର ସତ୍ୟନାରାୟଣ ମିଶ୍ର, ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ଚିନ୍ମୟୀ ରଥ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡ଼ଃ ଅଜିତ କୁମାର ମହାପାତ୍ର ଅତିଥି ରୂପେ ଯୋଗ ଦେଇ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସ୍ନେହ ବନ୍ଧନର ପ୍ରତୀକ ବୋଲି ପ୍ରକାଶ କରିବା ସହ ଏହି ପୋଷ୍ୟ ସନ୍ତାନ ପ୍ରକ୍ରିୟା ମାଧ୍ୟମରେ ଉଭୟ ଗ୍ରହିତା ପିତାମାତା ଓ ସମାଜରେ ପରିତ୍ୟକ୍ତ ଅବସ୍ଥାରୁ ଉଦ୍ଧାର ପାଇଥିବା ଶିଶୁଟି ସ୍ୱତନ୍ତ୍ର ପରିଚୟ ଓ ପରିବାର ପାଇପାରିବ ବୋଲି ମତ ରଖିଥିଲେ। ଅଭିଜ୍ଞ ପ୍ରଶିକ୍ଷକ ଅକ୍ଷୟ କୁମାର ସ୍ବାଇଁ ଉପସ୍ଥିତ ଅଂଶ ଗ୍ରହଣ କାରୀମାନଙ୍କୁ ପୋଷ୍ୟ ସନ୍ତାନ ଆଇନ ୨୦୨୨ ରେ ଉଲ୍ଲେଖ ଥିବା ତଥ୍ୟଗୁଡ଼ିକୁ ସୁନ୍ଦର ଭାବେ ବ୍ୟାଖ୍ୟା କରିବା ସହ ସାଧାରଣ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଆଗ୍ରହୀ ଥିବା ପିତାମାତାମାନେ କିଭଳି ଆଇନ୍ କୁ ଅବଲମ୍ବନ କରିପାରିବେ ସେ ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଥିଲେ। ଶିଶୁ ମଙ୍ଗଳ କମିଟିର ସଦସ୍ୟ ସଦସ୍ୟା ଦେବଯାନୀ ହିମାଂଶୁ, ରୁଦ୍ଧିସୁନ୍ଦର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l ଇତ୍ୟବସରରେ ବିଗତ ଦିନରେ ପୋଷ୍ୟସନ୍ତାନ ପ୍ରକ୍ରିୟାକୁ ଅବଲମ୍ବନ କରି ପୋଷ୍ୟସନ୍ତାନ ଗ୍ରହଣ କରିଥିବା ଦୁଇଟି ପରିବାରବର୍ଗଙ୍କୁ ସମ୍ମାନିତ କରାଯାଇଥିଲା ।ଶେଷରେ ସୁରକ୍ଷା ଅଧିକାରୀ ସ୍ନିଗ୍ଧା ରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l