
-
ବିଧାନସଭା ଆଦିବାସୀ ଜମି ପ୍ରସଙ୍ଗକୁ ନେଇ ଚାରିଟା ଯାଏ ମୁଲତବୀ
ଭୁବନେଶ୍ୱର– ଜନଜାତି ବର୍ଗର ଜମିକୁ ଅଣ ଜନଜାତି ବର୍ଗର ଲୋକ ମାନଙ୍କୁ ବିକ୍ରି ପାଇଁ ଅନୁମତି ଦେବା ପ୍ରସ୍ତାବକୁ କ୍ୟାବିନେଟରେ ମଂଜୁରୀ ପ୍ରଦାନ କରିବା ମାମଲାକୁ ନେଇ ବିଧାନସଭାରେ ଆଜି ମଧ୍ୟ ହଟ୍ଟଗୋଳ ପରିଲକ୍ଷିତ ହୋଇଛିା ଏହି କାରଣରୁ ଲଗାତାର ଦ୍ୱିତୀୟ ଦିନ ବିଧାନସଭାର କାମ ପ୍ରଭାବିତ ହୋଇଛି । ବିରୋଧୀ ବିଜେପି ଓ କଂଗ୍ରେସ ଦଳର ବିଧାୟକ ମାନଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତିା
ଆଜି ନିର୍ଧାରିତ ୧୦.୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲିକ ପ୍ରଶ୍ନକାଳ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଚାହିଁଥିଲେ । ସେ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁଙ୍କୁ ପ୍ରଶ୍ନର ଉତର ଦେବାକୁ କହିଥିଲେ । ତାଙ୍କର ନିର୍ଦେଶ କ୍ରମେ ଟୁକୁନୀ ସାହୁ ପ୍ରଶ୍ନର ଉତର ପଢିବା ଆରମ୍ଭ କରିଥିଲେ । ହେଲେ ବିରୋଧୀ ଦଳର ବିଧାୟକ ମାନେ ଆଦିବାସୀ ମାନଙ୍କ ଜମି ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ଆରମ୍ଭ କରି ଦେଇଥିଲେ । ବାଚସ୍ପତି ବିରୋଧୀ ଦଳର ବିଧାୟକମାନଙ୍କୁ ହଟ୍ଟଗୋଳ ଶେଷ କରି ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ବିରୋଧୀ ବିଜେପି ଦଳର ବିଧାୟକ ମାନେ ହାତରେ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗକୁ ଆସି ନାରାବାଜୀ କରିଥିଲେ । ବାଚସ୍ପତିଙ୍କ ଅନୁରୋଧର ସେମାନଙ୍କ ଉପରେ କୌଣସି ପ୍ରଭାବ ପଡି ନ ଥିଲା । ବିରୋଧୀ କଂଗ୍ରେସ ଦଳର ବିଧାୟକ ମାନେ ମଧ୍ୟ ଗୃହର ମଧ୍ୟ ଭାଗକୁ ଆସି ପ୍ରବଳ ନାରାବାଜୀ କରିଥିଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଚେଷ୍ଟା କରୁଥିଲେ । ପ୍ରବଳ ପାଟିତୁଣ୍ଡ ମଧ୍ୟରେ ମନ୍ତ୍ରୀ ଟୁକୁନୀ ସାହୁ ଉତର ଦେଉଥିଲେ । ହେଲେ ସେ ଯାହା ଉତର ଦେଉଥିଲେ ତାହା ପ୍ରେସ ଗ୍ୟାଲେରୀକୁ ସ୍ପଷ୍ଟ ହେଉ ନ ଥିଲା । ହଟ୍ଟଗୋଳ ଶାନ୍ତ ନ ହେବା କାରଣରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲୋ