ଭୁବନେଶ୍ୱର – ଆଜି (ଗୁରୁବାର) ଠାରୁ ବିଧାନସଭା ଆଗରେ ଧାରଣାରେ ବସିଛନ୍ତି ଓଡ଼ିଆ ଫିଲ୍ମ ‘ପ୍ରଥା’ର ପ୍ରଯୋଜିକା ସନଲିଶା ପଟେଲ । ତାଙ୍କ ସହ ଅନ୍ୟ କିଛି କଳାକାର ମଧ୍ୟ ଧାରଣା ଦେଇଛନ୍ତି । ସେ କହିଛନ୍ତି ଯେ ପୂର୍ବରୁ ବି ଏହି ସମସ୍ୟା ନେଇ ସରକାରୀ ସ୍ତରରେ ସମସ୍ତଙ୍କୁ ଅବଗତ କରିଥିଲି । କିନ୍ତୁ ମତେ ନ୍ୟାୟ ମିଳିଲାନି । ତେଣୁ ସମସ୍ୟାର ସମାଧାନ ପାଇଁ ଧାରଣାରେ ବସିଛି । କାଲିଠାରୁ ପ୍ରଯୋଜକ ,କଳାକାର, ଟେକନିସିଆନ, ନିର୍ଦ୍ଦେଶକମାନେ ଯୋଗ ଦେବେ ପ୍ରଯୋଜିକା ସନଲିସା ଜଣେଇଛନ୍ତି ।
ସନଲିଶା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍ଡିସି) ଏବଂ ଓଡ଼ିଶା ସରକାରଙ୍କ ଆଗରେ ୫ଟି ଗୁରୁତ୍ୱପୂର୍ଣ୍ଣ ଦାବି ରଖିଛନ୍ତି । ସେହି ଦାବି ଗୁଡିକ ହେଉଛି ଯେ ବ୍ଲକ୍ ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ସିନେମା ହଲ୍ ପ୍ରତିଷ୍ଠା କରାଯାଉ । ଅନ୍ୟ ରାଜ୍ୟମାନଙ୍କ ପରି ମଲ୍ଟିପ୍ଲେକ୍ସ ଏବଂ ହଲମାନେ ଯେପରି ଓଡ଼ିଆ ଫିଲ୍ମକୁ ଚଲାଇବା ପାଇଁ ବାଧ୍ୟ ହେବେ ସେହିପରି କାର୍ଯ୍ୟାନୁଷ୍ଠାନ ନିଆଯାଉ । ବିତରଣ, ପ୍ରଦର୍ଶନ, ସିନେମା ଚାଲିବା ପରେ ଟଙ୍କା ଫେରି ପାଇବା ଏବଂ ସମସ୍ତଙ୍କ ଭିତରେ ସମନ୍ୱୟ ରକ୍ଷା ପାଇଁ ବ୍ୟବସ୍ଥା କରାଯାଉ । ଟିକସ ମୁକ୍ତ ସାଙ୍ଗକୁ ସିନେମା ନିର୍ମାଣ ଲାଗି ଆର୍ôଥକ ଓ ଅନ୍ୟାନ୍ୟ ସହାୟତା କରାଯାଉ ।
ଏହା ସହ ସମସ୍ତଙ୍କର ସୁରକ୍ଷା ପାଇଁ କିଛି ଦୃଢ଼ ପଦକ୍ଷେପ ନିଆଯାଉ । ଯେପରି କେହି ଅନ୍ଲାଇନ୍ ହେଉ କି ଅଫ୍ଲାଇନ୍ କୌଣସି ଖଳ କାର୍ଯ୍ୟ କରିବାକୁ ଭୟ କରିବେ ଏବଂ ସେଥିରୁ ନିବୃତ ରହିବେ । ଇନଭେଷ୍ଟରମାନଙ୍କୁ ଓଡିଆ ଚଳଚ୍ଚିତ୍ର ନିର୍ମାଣପାଇଁ ସରକାରୀ ସହାୟତା ଦିଆଯାଉ ।