ହରିଚନ୍ଦନପୁର- କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ବଡ଼ପଳାସପାଳ ଗ୍ରାମପଂଚାୟତର ଭୋକା ଗ୍ରାମରେ ଘଟିଯାଇଛି ଅଭାବନୀୟ ଘଟଣା । ନିଆଁ ପୋଉଁଥିବା ବେଳେ ଶାଢ଼ୀରେ ନିଆଁ ଲାଗି ଜଣେ ମହିଳା ପୋଡି ହୋଇ ପ୍ରାଣ ହରାଇଛନ୍ତି । ମୃତ ମହିଳାଙ୍କ ନାମ ରାଇମଣି ମୁଣ୍ଡା (୨୩) ବୋଲି ଜଣାପଡିଛି ।
ପ୍ରବଳ ଶୀତ ଓ ଜାଡ଼ରୁ ରକ୍ଷା ପାଇବା ପାଇଁ ଆଜି ସଂନ୍ଧ୍ୟା ପ୍ରାୟ ସାଢ଼େ ୫ଟା ସମୟରେ ଟୁକୁନା ମୁଣ୍ଡାଙ୍କ ପତ୍ନୀ ରାଇମଣି ନିଆଁ ପୋଉଁଥିଲେ । ଏହି ସମୟରେ ଅସାବଧାନତାବଶତଃ ତାଙ୍କ ପିନ୍ଧା ଲୁଗାରେ ନିଆଁ ଲାଗିଯିବାରୁ ସେ ପ୍ରାୟ ୭୦ ପ୍ରତିଶତ ପୋଡ଼ି ଯାଇଥିଲେ । ତାଙ୍କ ଆକୁଳ ଚିକ୍ରାର ଶୁଣି ସାଇପଡ଼ିଶା ଲୋକେ ଘଟଣାସ୍ଥଳରେ ପହଂଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ସହ ଚିକିତ୍ସା ନିମନ୍ତେ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । କିନ୍ତୁ, ସେଠାରେ ପ୍ରାଥମିକ ଚିକିତ୍ସା ଆରମ୍ଭ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା । ହରିଚନ୍ଦନପୁର ଥାନା ପୋଲିସ ମେଡ଼ିକାଲରେ ପହଂଚି ମୃତ ମହିଳାଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ।