ଭୁବନେଶ୍ୱର,ଜନଜାତି ବର୍ଗର ଜମିକୁ ଅଣ ଜନଜାତି ବର୍ଗର ଲୋକ ମାନଙ୍କୁ ବିକ୍ରି ପାଇଁ ଅନୁମତି ଦେବା ପ୍ରସ୍ତାବକୁ କ୍ୟାବିନେଟରେ ମଂଜୁରୀ ପ୍ରଦାନ କରିବା ମାମଲାକୁ ନେଇ ଆଜି ବିଧାନସଭାରେ ହଟ୍ଟଗୋଳ ହୋଇଛି । ବିରୋଧୀ ଦଳର ହଟ୍ଟଗୋଳ କାରଣରୁ ଆଜି ଗୃହ ଦିନ 12ଟା ଯାଏ ମୁଲତବୀ ରହିଛି । ଏହି କାରଣରୁ ଆଜି ପ୍ରଶ୍ନକାଳ କାର୍ଯ୍ୟକ୍ରମ ହୋଇପାରି ନାହିଁ ।
ଆଜି ନିର୍ଧାରିତ 10.30ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲିକ ପ୍ରଶ୍ନକାଳ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଚାହିଁଥିଲେ। ହେଲେ ବିରୋଧୀ ଦଳର ବିଧାୟକ ମାନେ ଆଦିବାସୀ ମାନଙ୍କ ଜମି ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ଆରମ୍ଭ କରି ଦେଇଥିଲେ । ବାଚସ୍ପତି ବିରୋଧୀ ଦଳର ବିଧାୟକମାନଙ୍କୁ ହଟ୍ଟଗୋଳ ଶେଷ କରି ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ବିରୋଧୀ ବିଜେପି ଦଳର ବିଧାୟକ ମାନେ ହାତରେ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗକୁ ଆସି ନାରାବାଜୀ କରିଥିଲେ । ବାଚସ୍ପତିଙ୍କ ଅନୁରୋଧର ସେମାନଙ୍କ ଉପରେ କୌଣସି ପ୍ରଭାବ ପଡି ନ ଥିଲା । ଏହି କାରଣରୁ ବାଚସ୍ପତି ଗୃହକୁ 12.00 ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ।