ସାନଖେମୁଣ୍ଡି : ସ୍ଥାନୀୟ ବିଶ୍ୱାସରାୟ ବିଜ୍ଞାନ କଲେଜ ପରିସରରେ ଓଡ଼ିଆ ଭାଷା ସାହିତ୍ୟ ,ଅର୍ଥନୀତି, ଇତିହାସ, ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ମେଗା ସେମିନାର ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ବିଭାଗ ପୃଥକ ଭାବେ ଅନୁଷ୍ଠିତ ପାଠଚକ୍ରକୁ କଲେଜ ଅଧକ୍ଷ ଡ଼ଃ.ପ୍ରଦୀପ କୁମାର ବ୍ରହ୍ନା ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ” ଯୁଗସ୍ରଷ୍ଟା ରାଧାନାଥ ରାୟ” ଶୀର୍ଷକ ପାଠଚକ୍ରରେ ଆଲୋଚକ ଭାବେ ହିଂଜିଲି କଲେଜ ଓଡ଼ିଆ ଅଧ୍ୟାପିକା ଡ଼.ବିଷ୍ଣୁପ୍ରିୟା ପଣ୍ଡା ଯୋଗ ଦେଇ ପ୍ରାଚ୍ୟ ପାଶ୍ଚାତ୍ୟର ମଧୁର ସମନ୍ୱୟରେ ଓଡ଼ିଆ କାବ୍ୟ ସାହିତ୍ୟ ସୃଷ୍ଟି, ଓଡ଼ିଆ ଭାଷା ସାହିତ୍ୟକୁ ବଙ୍ଗାଳୀ ଆକ୍ରମଣର ଶାଣିତ ସାହିତ୍ୟ ସାଧନାରେ ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରାଇବା, ରାଧାନାଥ ସାହିତ୍ୟକୁ ସତ୍ୟବାଦୀ କବିଙ୍କ ଚରମ ପ୍ରତିବାଦରେ ମୌନ ପ୍ରତିବାଦ ସହ ମହାଯାତ୍ରା ଆଦି ସମ୍ପର୍କିତ ବିସ୍ଲେଷଣାତ୍ମକ ସନ୍ଦର୍ଭପାଠ କରିଥିଲେ। ଅଧକ୍ଷତ ବ୍ରହ୍ନା ସମତେ ଓଡ଼ିଆ ଅଧ୍ୟାପକ ଅନୁଜ ବେହେରା, ଅଧ୍ୟାପିକା ସୁନିତା ରଥ, ଛାତ୍ରୀ ମାମା ପରିଡା, ରୂପାଲି ସାହୁ ପ୍ରମୁଖ ସନ୍ଦର୍ଭ ପାଠ ସହ ଆଲୋଚନା କରିଥିଲେ। ଅର୍ଥନୀତି ବିଭାଗ ପକ୍ଷରୁ ” ଜଳ ପ୍ରଦୂଷଣ ଓ ତାର ଅର୍ଥନୀତିର ପ୍ରଭାବ” ସମ୍ପର୍କିତ ପାଠଚକ୍ରରେ ଆଲୋଚକ ଭାବେ ଅଧ୍ୟାପକ ଡ଼ଃ.କୃଷ୍ଣଚନ୍ଦ୍ର ପ୍ରଧାନ ଆଲୋଚକ ଭାବେ ସନ୍ଦର୍ଭ ପାଠ କରିଥିବା ବେଳେ ଅଧକ୍ଷ ଡ଼. ବ୍ରହ୍ନା, ଅଧ୍ୟାପକ ସୁବାସ ଚନ୍ଦ୍ର ମହାପାତ୍ର, ଅଧ୍ୟାପିକା ପ୍ରିୟଙ୍କା ଗମାଙ୍ଗ, ଶିକ୍ଷାର୍ଥୀ ସୁମନ ରାଣୀ ପୃଷ୍ଠା, ଜିତୁ ମହାରଣା, କରଣ କୁମାର ସାହୁ ପ୍ରମୁଖ ସନ୍ଦର୍ଭ ପାଠ ସହ ଆଲୋଚନା କରିଥିଲେ। ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ” ଧାରା ୩୭୦ ଉଛେଦ” ସମ୍ପର୍କିତ ପାଠଚକ୍ରରେ ଆଲୋଚକ ଭାବେ ଖେମୁଣ୍ଡି କଲେଜ ଅଧ୍ୟାପକ ଡ଼. ସନ୍ତୋଷ କୁମାର ସାହୁ ସନ୍ଦର୍ଭ ପାଠ କରିବା ସହ ବିଭାଗ ମୁଖ୍ୟ ଡ଼. ବିଜୟ ଚନ୍ଦ୍ର ପ୍ରଧାନ, ଅଧ୍ୟାପକ ବିଜୟ କୁମାର ସାହୁ ଆଲୋଚନା କରିଥିଲେ। ଇତିହାସ ବିଭାଗ ପକ୍ଷରୁ ” ଆଧୁନିକ ଭାରତରେ ମହିଳାଙ୍କ ଭୁମିକା” ସମ୍ପର୍କିତ ପାଠଚକ୍ରରେ ସେରଗଡ଼ କଲେଜ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ ଆଲୋଚକ ଭାବେ ସନ୍ଦର୍ଭ ପାଠ କରିଥିବା ବେଳେ ଅଧ୍ୟାପିକା ଡ଼. ସାଳିନୀ ବେହେରା, ଅଧ୍ୟାପକ ତୁଳସୀ ଚନ୍ଦ୍ର ବେହେରାଙ୍କ ସମତେ ଛାତ୍ରଛାତ୍ରୀ ଆଲୋଚନା କରିଥିଲେ। ପାଠଚକ୍ର ମାନଙ୍କରେ ଅତିଥି ଭାବେ ଅଧ୍ୟାପକ ପ୍ରଫୁଲ୍ଲ କୁମାର ମହାରଣା , ପ୍ରଫୁଲ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।