
ଭୁବନେଶ୍ୱର– କୋରାପୁଟ ନିର୍ବାଚନମଣ୍ଡଳୀର ୨୦୧୯ର ବିଜେପି ବିଧାୟକ ପ୍ରାର୍ଥୀ ତ୍ରିପୁରାରୀ ଗରଡ଼ା ବୁଧବାର ଶତାଧିକ ବିଜେପି କର୍ମୀ ଓ ସମର୍ଥକଙ୍କ ସହ ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ଶ୍ରୀ ଗରଡ଼ା ଏବଂ ଅନ୍ୟ ସମସ୍ତ ବିଜେପି କର୍ମୀଙ୍କୁ ଉପଢୌକନ ଦେଇ ଶ୍ରୀ ମଙ୍ଗରାଜ ଦଳକୁ ସ୍ୱାଗତ କରିଥିଲେ । ଶ୍ରୀ ଗରଡ଼ାଙ୍କ ଏହା ହେଉଛି ଘରବାହୁଡ଼ା ଏବଂ ବିଜୁ ଜନତା ଦଳରେ ତାଙ୍କ ଯୋଗଦାନ ଫଳରେ ବିଶେଷକରି କୋରାପୁଟ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ସାଂସଦ ଶ୍ରୀ ମଙ୍ଗରାଜ କହିଥିଲେ ।
ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ନେତା ତ୍ରିପୁରାରୀ ଗରଡ଼ା ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଲି । ଏହି ମିଶ୍ରଣ ପର୍ବରେ ପୂର୍ବତନ ବିଜେପି ମଣ୍ଡଳ ସଭାପତି ବିଜୟ କୁମାର ଦଳାଇ, କୋରାପୁଟ ନଗର ବିଜେପି ସାଧାରଣ ସମ୍ପାଦକ ଅମରେନ୍ଦ୍ର ସେଠୀ, କୋରାପୁଟ ନଗର ବିଜେପି ଯୁଗ୍ମ ସମ୍ପାଦକ ଅଖିଳ ପ୍ରସାଦ ମଲ୍ଲିକଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ୍ ହୋଇଥିଲେ ।
ଏହି ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ, କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ, କୋରାପୁଟ ବିଧାୟକ ରଘୁରାମ ପଡ଼ାଲ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, ପଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ, ପୂର୍ବତନ ସାଂସଦ ତଥା କୋରାପୁଟ ଜିଲ୍ଲା ସଭାପତି ଝୀନ ହିକକା, ପୂର୍ବତନ କୋରାପୁଟ ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, କୋରାପୁଟ ମହିଳା ବିଜେଡ଼ି ପ୍ରଭାରୀ ମୀରା ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।