ଭୁବନେଶ୍ୱର– ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଗବୋନ (ମଧ୍ୟ ଆଫ୍ରିକା)ରେ ଫସିଥିବା ୨୧ ଜଣ ଶ୍ରମିକଙ୍କ ମଧ୍ୟରୁ ୫ଜଣ ଭାରତ ଫେରୁଛନ୍ତି ଓ ଅନ୍ୟ ୧୬ ଜଣ ପର୍ଯ୍ୟାୟକ୍ରମେ ଭାରତ ଫେରିବେ ବୋଲି ଦୂତାବାସ ପକ୍ଷରୁ ସୂଚନା ମିଳିଛି । ଗବୋନରେ ଫସିଥିବା ୨୧ଜଣ ଶ୍ରମିକଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଶ୍ରୀ ପଣ୍ଡା ଚଳିତ ମାସ ୧୪ ତାରିଖରେ ଏକ ଚିଠି ଲେଖି ନିବେଦନ କରିଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ ଓଡିଶାର କେନ୍ଦ୍ରାପଡା ଜିଲ୍ଲା ଅର୍ନ୍ତଗତ ଆଳି ନିର୍ବାଚନ ମଣ୍ଡଳୀର ୧୧ ଜଣଙ୍କ ସମେତ ଭଦ୍ରକ- ୨, ଢେଙ୍କାନାଳ- ୧ ଓ ଅନ୍ୟ ରାଜ୍ୟରୁ ୭ଜଣ ଶ୍ରମିକ ଅଧିକ ରୋଜଗାର ଆଶାରେ ଏକ ଏଜେଂଟଙ୍କ ଜରିଆରେ ଗବୋନ ଯାଇଥିଲେ । କିନ୍ତୁ ସେଠାରେ ପହଂଚିବା ପରେ କମ୍ପାନୀ କର୍ତୃପକ୍ଷ ସେମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ଦୈନିକ ୧୨ ଘଂଟାରୁ ଅଧିକ ସମୟ କାମ କରିବାକୁ ବାଧ୍ୟ କରୁଥିବା ଏକ ଭିଡିଓ ବାର୍ତାରେ ପରିବାର ଲୋକଙ୍କୁ ଜଣାଇଥିଲେ । ଉପାୟଶୂନ୍ୟ ହୋଇ ପରିବାର ଲୋକ ବୈଜୟନ୍ତ ପଣ୍ଡାଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ । ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ସମସ୍ତଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ସଙ୍ଗେ ସଙ୍ଗେ ସହାୟତା ଯୋଗାଇଦେବାକୁ ନିବେଦନ କରିଥିଲେ ।ଦୂତାବାସ ସୂଚନା ଅନୁସାରେ ଆଜି ୫ଜଣଙ୍କ ସମେତ କେନ୍ଦ୍ରାପଡାର ପଦ୍ମନାଭ ଲେଙ୍କା ଗବୋନରୁ ବିମାନ ଯୋଗେ ଭାରତ ଅଭିମୁଖେ ଯାତ୍ରା କରିଛନ୍ତି ।