
-
ବରିଷ୍ଠ ଚିତ୍ରକର କେଶୁଦାସ ଓ ଯୁବ ଚିତ୍ରକର ଦେବାଶିଷ ପତି ମନୋନୀତ
-
ବିକ୍ରିଲବ୍ଧ ଅର୍ଥରାଶିରୁ ୨୦% ନୀଳରକ୍ତ କଙ୍କଡା ଗବେଷଣାଗାର ପ୍ରତିଷ୍ଠା ପାଇଁ ଦାନ କରିବେ ଦୁଇ ଶିଳ୍ପୀ
ବାଲେଶ୍ଵର, କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ –
ବାଙ୍ଗାଲୋର ଠାରେ କର୍ଣ୍ଣାଟକ ଚିତ୍ରକଳା ପରିଷଦ ଦ୍ବାରା ଆୟୋଜିତ ହେଉଛି ଭାରତର ଏକ ଦିବସୀୟ ବୃହତ୍ତମ ଚିତ୍ରକଳା ବାଣିଜ୍ୟ ମେଳା ‘ଚିତ୍ରସାନ୍ଥେ’। ଏଥିରେ ଯୋଗ ଦେବା ପାଇଁ ବାଲେଶ୍ଵରର ଦୁଇ ଚିତ୍ରଶିଳ୍ପୀ କେଶୁଦାସ ଓ ଦେବାଶିଷ ପତି ମନୋନୀତ ହୋଇଛନ୍ତି । ଏହା ଆସନ୍ତା ୫ ତାରିଖ ସକାଳ ୮ଟା ରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଆୟୋଜିତ ହେବ। ବାଲେଶ୍ଵର ବଙ୍ଗୋପସାଗର ଉପକୂଳରେ ଦୃଶ୍ୟମାନ ବିରଳ horseshoe crab ବା ନୀଳରକ୍ତ କଙ୍କଡାକୁ ନେଇ କାର୍ଯ୍ୟ କରୁଥିବା ଗବେଷକଙ୍କୁ ବାଦ୍ ଦେଲେ ବାଲେଶ୍ଵରର ଏକମାତ୍ର ଚିତ୍ରଶିଳ୍ପୀ କେଶୁଦାସ ଜଉଆଧାରିତ ଭାରତୀୟ ଜଉକୁ ନେଇ ଚିତ୍ର ଆଙ୍କୁଥିବା ଭାରତର ଏକମାତ୍ର ଜଉ ଚିତ୍ରଶିଳ୍ପୀ କେଶୁଦାସ ଜଉରଙ୍ଗ ବ୍ୟବହାର କରି ନୀଳରକ୍ତ କଙ୍କଡାର ସୁରକ୍ଷା ସଚେତନତା ପାଇଁ ପେଣ୍ଟିଂମାନ ଆଙ୍କିବା କାର୍ଯ୍ୟରେ ସଫଳ ହୋଇପାରିଛନ୍ତି। ସେ ନିଜର ‘ଫସିଲାକ୍’ (Fossillac) ସିରିଜ୍ ରେ ୨୦ ରୁ ଉର୍ଦ୍ଧ୍ଵ ପେଣ୍ଟିଂ ବାଙ୍ଗାଲୋର ଚିତ୍ରମେଳାରେ ପ୍ରଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି।
ଏହାଛଡା, ପେଣ୍ଟିଂରୁ ବିକ୍ରିଲବ୍ଧ ଲାଭାଂଶରୁ ୨୦% ଅର୍ଥରାଶିକୁ ସେ ବାଲେଶ୍ଵରରେ ହେବାକୁ ଥିବା ନୀଳରକ୍ତ କଙ୍କଡା ପାଇଁ ଗବେଷଣାଗାର ପ୍ରତିଷ୍ଠା ନିମନ୍ତେ ଦାନ କରିବେ ବୋଲି ଘୋଷଣା କରିଛନ୍ତି। ସେହିପରି ବାଲେଶ୍ବର କଳା ମହାବିଦ୍ୟାଳୟରୁ କଳା ଶିକ୍ଷା ଗ୍ରହଣ କରିଥିବା ରେମୁଣାର ଯୁବ ଚିତ୍ରଶିଳ୍ପୀ ଦେବାଶିଷ ପତି ମଧ୍ୟ ତାଙ୍କ ସମସ୍ତ ସୃଜନାତ୍ମକ କଳାକୃତିକୁ ପ୍ରଦର୍ଶନ କରି ବିକ୍ରୟ କରିବେ ବୋଲି ଜଣାପଡିଛି । ଦେବାଶିଷ ପତି ତାଙ୍କ ଚିତ୍ରକଳାରେ ମୁଖ୍ୟତଃ ସାମ୍ପ୍ରଦାୟିକ ସଦଭାବନା ତଥା ସାମ୍ପ୍ରତିକ ସମୟର ଦୃଶ୍ୟାବଳିକୁ କଳାତ୍ମକ ଶୈଳୀରେ ଚିତ୍ରିତ କରିବାରେ ସିଦ୍ଧହସ୍ତ ।
ତାଙ୍କ ପେଣ୍ଟିଂ ସବୁ ରୁଚିସମ୍ପନ୍ନ ଚିତ୍ରକଳା ପ୍ରେମୀ ତଥା ଚିତ୍ରକଳା ବ୍ୟବସାୟୀଙ୍କୁ ଆକୃଷ୍ଟ କରିବ ବୋଲି ସେ ଆଶା ବାନ୍ଧିଛନ୍ତି । ସେମାନେ ବାଙ୍ଗାଲୋର ସ୍ଥିତ ବିଭିନ୍ନ ଆର୍ଟ ସେଣ୍ଟର୍ ସହ ଯୋଗାଯୋଗ କରିବା ଲକ୍ଷ୍ୟ ନେଇ ଆସନ୍ତା ୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଯାତ୍ରା କରିବେ ବୋଲି ଜଣାପଡ଼ିଛି ।ସୂଚନାଯୋଗ୍ୟ ଯେ, ଚିତ୍ରସାନ୍ଥେ ଭାରତର ଏକ ଦିନିଆ ପ୍ରସିଦ୍ଧ ଚିତ୍ରକଳା ବାଣିଜ୍ୟ ମେଳା। ଏହି ଚିତ୍ରକଳା ମେଳାରେ ଭାରତର ବିଭିନ୍ନ ରାଜ୍ୟ ସହ ୨୦ରୁ ଅଧିକ ଦେଶର ଚିତ୍ରଶିଳ୍ପୀ ମାନେ ଯୋଗ ଦିଅନ୍ତି । ଏହି ମେଳା ଚିତ୍ର ବିକ୍ରି କରିବାରେ ଭାରତର ସବୁଠାରୁ ବଡ ଚିତ୍ରକଳା ବାଣିଜ୍ୟ ମେଳା ।
ଏଥିରେ ୫୦୦/- ରୁ ୨୫ ଲକ୍ଷ ପର୍ଯ୍ୟନ୍ତ ମୂଲ୍ୟରେ ଚିତ୍ର ବିକ୍ରି ହେବାର ନଜିର ରହିଛି । ଏଥିରେ ଯୋଗ ଦେବା ପାଇଁ ୧୭ ହଜାରରୁ ଅଧିକ ଶିଳ୍ପୀ ଆବେଦନ କରୁଥିବା ବେଳେ ତନ୍ମଧ୍ୟରୁ ୧୫୦୦ ଜଣଙ୍କୁ ମନୋନୀତ କରାଯାଇ ଚିତ୍ର କରିବା ପାଇଁ ସୁଯୋଗ ଦିଆଯାଏ। ଦେଶ ବିଦେଶରୁ ହଜାର ହଜାର ଚିତ୍ର ପ୍ରେମୀ, ବରିଷ୍ଠ, କନିଷ୍ଠ ଚିତ୍ରକର ଓ ଚିତ୍ର ବ୍ୟବସାୟୀ ଏହି ଚିତ୍ରମେଳାରେ ଯୋଗ ଦେଇ ଚିତ୍ର କିଣନ୍ତି । କର୍ଣ୍ଣାଟକ କଳା ପରିଷଦ ଦ୍ବାରା ଆୟୋଜିତ ଚିତ୍ରସାନ୍ଥେ ବାଙ୍ଗାଲୋରର ମୁଖ୍ୟ ରାସ୍ତା କୁମାରପୁରାର ଏକ କିମି ଦୀର୍ଘ ରାସ୍ତାକୁ ଅବରୋଧ କରି ମୁକ୍ତ ଆକାଶ ତଳେ ସକାଳ ୮ ଟାରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ଚିତ୍ର ହାଟ ବସେ।