-
ରାଜ୍ୟ ସହିତ ବିଶ୍ୱକୁ ଯୋଡୁଛି ଓଡିଶାର ଗ୍ରାମୀଣ ହସ୍ତଶିଳ୍ପ ଓ ବୟନଶିଳ୍ପ
ନୂଆଦିଲ୍ଲୀ/ଭୁବନେଶ୍ୱର– ଓଡିଶାର ଗ୍ରାମୀଣ ହସ୍ତଶିଳ୍ପୀ ଓ ବୟନଶିଳ୍ପୀମାନଙ୍କୁ ବିଶ୍ୱବଜାର ସୁବିଧା ଉପଲବ୍ଧ କରି ସେମାନଙ୍କୁ ସ୍ଥାୟୀ ଜୀବିକା ସୁଯୋଗ ଦେବା, ସେମାନଙ୍କ ଜୀବନଜୀବିକା ଗୁଣବତାରେ ଉନ୍ନତି ଆଣିବା ଓ ସେମାନଙ୍କ ଅଭିନବ ଦକ୍ଷତାକୁ ବିଶ୍ୱ ପରିଚୟ ପ୍ରଦାନ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ସହଯୋଗୀ ସଂସ୍ଥା ଓରମାସ ଗତ ୧୪ ତାରିଖ ଠାରୁ ଆଗାମୀ ୨୭ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମଇଦାନରେ ଆୟୋଜିତ ହେଉଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଓଡିଶା ପାଭିଲିୟନ ମାଧ୍ୟମରେ ଅଂଶ ଗ୍ରହଣ କରିଛି ।
ପାଭିଲିୟନର ୧ ନମ୍ବର ଷ୍ଟଲରେ ନୂଆପଡାର ମା’ବୈଭବଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ଓ ମୟୂରଭଞ୍ଜର ମା’ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ କାଷ୍ଠ କାରୁକାର୍ଯ୍ୟ ଓ ସବାଇ ଘାସରୁ ପ୍ରସ୍ତୁତ ସାମଗ୍ରୀ ଏବଂ ୨ ନମ୍ବର ଷ୍ଟଲରେ କୋରାପୁଟର ଲେମନ ଗ୍ରାସ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ଲେମନ ଗ୍ରାସରୁ ପ୍ରସ୍ତୁତ ବିଭିନ୍ନ ଉପକାରୀ ଦ୍ରବ୍ୟ ଓ ନବରଙ୍ଗପୁରର ନବରଙ୍ଗୀ ଫାର୍ମ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ କୃଷି ଉପକରଣ ମିଳୁଥିବା ବେଳେ ୩ ନମ୍ବର ଷ୍ଟଲରେ ବାଲେଶ୍ୱରର ବାବା ପଂଚଲିଙ୍ଗେଶ୍ୱର ଟେରାକୋଟା ଉତ୍ପାଦକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଓଡିଶାର ଟେରାକୋଟା ଗୃହସଜ୍ଜା ସାମଗ୍ରୀ ଓ ଗଞ୍ଜାମର ଅନନ୍ତ ନାରାୟଣ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଆଚାର, ପାମ୍ପଡ ଆଦି ଖାଦ୍ୟ ସାମଗ୍ରୀ ଏବଂ ୪ ନମ୍ବର ଷ୍ଟଲରେ ଯାଜପୁରର ଜୟ ମା’ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଟସରରୁ ପ୍ରସ୍ତୁତ ଶାଢି ଓ ଅନ୍ୟାନ୍ୟ ବସ୍ତ୍ର ଓ କୋଟପାଡର ସନ୍ଥକବି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଜି.ଆଇ. ଟ୍ୟାଗ କୋଟପାଡ ଶାଢି ମିଳୁଛି । ଅନୁରୂପ ଭାବେ, ପାଭିଲିୟନର ମଧ୍ୟଭାଗରେ ନିର୍ମିତ ବୋଇତର ଡେକ ଉପରେ କେଉଁଝରରୁ ଆସିଥିବା ଜ୍ୟୋତି ଉତ୍ପାଦକ ଗୋଷ୍ଠୀ ବ୍ୟବହୃତ କାଗଜରୁ ପ୍ରସ୍ତୁତ ବିଭିନ୍ନ ଗୃହସଜ୍ଜା ସାମଗ୍ରୀର ନିର୍ମାଣ ଶୈଳୀ ପ୍ରଦର୍ଶନ କରି ପ୍ରଶଂସିତ ହେଉଛନ୍ତି ।
ଗତକାଲି ସୁଦ୍ଧା ୭ ଦିନ ମଧ୍ୟରେ ଓରମାସ୍ ର ୪ଟି ଷ୍ଟଲରେ ୧୦ ଲକ୍ଷ ୫୩ ହଜାର ୯୬୦ ଟଙ୍କାର ବ୍ୟବସାୟ ହୋଇଛି ।