ଧର୍ମଶାଳା– ରାଜ୍ୟରେ ଦିନକୁ ଦିନ ବାଲ୍ୟ ବିବାହ ବୃଦ୍ଧି ପାଉଛି । ଯାହାକୁ ନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବାଲ୍ୟ ବିବାହ ନ କରିବାକୁ ପରିବାରଙ୍କୁ ସଚେତନ କରାଯାଉଛି । ଏହି କ୍ରମରେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ମଙ୍ଗଳପୁର ପଂଚାୟତ କୋଠଡିହସ୍ଥ ମଦ୍ରାସାଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତି ବିଶେଷଙ୍କୁ ନେଇ ବାଲ୍ୟ ବିବାହ ସମ୍ପର୍କୀତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଫତି ସନାଉଲ୍ଲା କାସିମ୍ ଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥିଭାବେ ଯାଜପୁର ଜିଲା ବାଲ୍ୟ ବିବାହ ସଂଯୋଜକ ସୁରେନ୍ଦ୍ର ଦିଗାଲ ଯୋଗଦେଇ ବାଲ୍ୟ ବିବାହ ଫଳରେ ସମାଜ ଉପରେ ପଡୁଥିବା କୁପ୍ରଭାବ ଓ ଏହା ଉପରେ ରୋକ ଲଗାଇବାରେ ପରିବାରର ମୁରବୀମାନେ ମୁଖ୍ୟ ଭୂମିକା ନେଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଯାଜପୁର ବ୍ଲକର ବିଶିଷ୍ଟ ମୁରବୀ ସେକ୍ ସାଜିଦ ଓ ରାଜ୍ୟ ସଂଖ୍ୟାଲଘୁ କଂଗ୍ରେସ ସାଧାରଣ ସମ୍ପାଦକ ସେକ୍ ଆବୁ ସାଏମା ଯୋଗଦେଇ ପ୍ରତ୍ୟେକ ଘରର ମୁରବୀ ଓ ନାବାଳକ ବାଳିକାମାନେ ଦୃଢ ମନରେ ଦୃଢ ସଙ୍କଳ୍ପ ନେଇ ଏହି ବାଲ୍ୟ ବିବାହ ରୋକା ଯାଇପାରିବ । ଅନ୍ୟପକ୍ଷରେ ପର୍ଯ୍ୟାୟ କ୍ରମେ ଏହା ଉପରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଥିଲେ ଏହା ସଫଳ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ମଦ୍ରାସ ପକ୍ଷରୁ ବାଲ୍ୟ ବିବାହ ସଂଯୋଜକ ଶ୍ରୀ ଦିଗାଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବରିଷ୍ଠ ମୁରବୀ ଓ ଯୁବ ସଂଗଠକର ସଭ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ ।