କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଚଳିତ ମାସ ୨୧ ଓ ୨୨ ତାରିଖରେ ଶରଧାବାଲି ଠାରେ ଅନୁଷ୍ଠିତ ହେବ।ଏଥିରେ ୨୫ ଟି ଷ୍ଟଲ ସହ ଦୈନିକ ୭୦୦ ରୁ ଉର୍ଦ୍ଧ୍ବ ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ହିତାଧିକାରୀଙ୍କ ମଧ୍ୟରେ ଆଲୋଚନା ଅନୁଷ୍ଠିତ ହେବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ।ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗର ମିଳିତ ସହଯୋଗରେ ୨ ଦିନିଆ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାର ଆୟୋଜନ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି ବୋଲି କହିଥିଲେ।ଅନେକ ହିତାଧିକାରୀ ଏହା ଦ୍ଵାରା ଉପକୃତ ହେବା ସହ ଆର୍ଥିକ ସମୃଦ୍ଧି ଲାଭ କରିଛନ୍ତି। ବିଭାଗର ବିବିଧ ଯୋଜନା, ସହାୟତା, ଓ ସହଯୋଗ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ସହ ଅଧିକ ରୁ ଅଧିକ ହିତାଧିକାରୀ ଯେପରି ଏହା ଦ୍ଵାରା ଆକୃଷ୍ଟ ହୋଇ ଉପକୃତ ହେବେ ସେଥିପାଇଁ ଏ ମେଳାର ଆୟୋଜନ ବୋଲି କହିଥିଲେ।ମୁଖ୍ୟ ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଡା ଶରତ କୁମାର ବେହେରା ଓ ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ ବିଭୂତି ରଞ୍ଜନ ରାଉତ ସମସ୍ତ ଙ୍କୁ ସ୍ୱାଗତ ସହ ବିଷଦ ସୂଚନା ଦେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ଏହି ମେଳା ଦ୍ଵାରା ସହଜ ହୋଇ ପାରିବ ବୋଲି କହିଥିଲେ।୪ ଜଣ ଲେଖାଏଁ ଶ୍ରେଷ୍ଠ ହିତାଧିକାରୀଙ୍କୁ ଏହି ମେଳାରେ ସମ୍ବର୍ଦ୍ଧିତ କରାଯିବା ସହ ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ପ୍ରଦର୍ଶନୀ ମଧ୍ୟ କରାଯିବ।ସାସ୍କୃତିକ କାର୍ଯ୍ୟକ୍ରମ ସହ ଏଲ ଇ ଡି ସ୍କ୍ରିନ ମାଧ୍ୟମରେ ବିବିଧ ସୂଚନା ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଅତିରିକ୍ତ ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଡା ଜଗବନ୍ଧୁ ବେହେରା ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଯୋଗ ଦେଇଥିଲେ।
Related Stories
November 23, 2024