-
ମଞ୍ଚସ୍ଥ ଲକ୍ଷ୍ମୀପୁରାଣ ନୃତ୍ୟନାଟିକା ଦେଖି ଦର୍ଶକ ମନ୍ତ୍ରମୁଗ୍ଧ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀ ସଦାଶିବ ପରିସରଠାରେ ନୂତନ ଅଟ୍ଟାଳିକା ନିର୍ମାଣ ନିମିତ୍ତ ଶିଳାନ୍ୟାସ ମାନ୍ୟବର ଶିକ୍ଷାମନ୍ତ୍ରୀ, ଭାରତ ସରକାର, ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମହୋଦୟଙ୍କ କରକମଳରେ ଅନୁଷ୍ଠିତ ହେବା ସଙ୍ଗେସଙ୍ଗେ ପଞ୍ଚସଖାଯୁଗର ବରେଣ୍ୟ ସନ୍ଥକବି ବଳରାମ ଦାସ କୃତ ଲକ୍ଷ୍ମୀ ପୁରାଣ : ସମତା, ନାରୀ ସଶକ୍ତିକରଣ ଏବଂ ସମାଧାନର ବ୍ୟାଖ୍ୟା’’ ଶୀର୍ଷକ ତ୍ରିଦିବସୀୟ ଆନ୍ତର୍ଜାତୀୟ ଆଲୋଚନାଚକ୍ର ମଧ୍ୟ ଉଦ୍ଘାଟିତ ହୋଇଯାଇଛି ।
ସୂଚନା ଅନୁସାରେ ପ୍ରଥମତଃ ଚଳିତ ବର୍ଷ ପରିସରକୁ ପାଖାପାଖି ୧୦୦ କୋଟି ଟଙ୍କା ଭାରତ ସରକାରଙ୍କ ଦ୍ୱାରା ମଞ୍ଜୁର ହୋଇଛି ଯେଉଁଥିପାଇଁ ପରିସରରେ ନୂତନ ଭାବେ ପ୍ରଶାସନିକ ଭବନ, ଶୈକ୍ଷିକ ଭବନ, ଶ୍ରେଣୀଗୃହ ପରିସରଠାରେ ନିର୍ମାଣ ହେବା ସହ ପେଣ୍ଠକଟାସ୍ଥ ଦ୍ୱିତୀୟ ପରିସରଠାରେ ଆବାସିକ ଅଟ୍ଟାଳିକା କ୍ରମରେ ଛାତ୍ରାବାସ ଏବଂ କର୍ମଚାରୀ ଆବାସ ନିର୍ମାଣ ହେବ । ଏହାଛଡ଼ା ବିଶିଷ୍ଟ ସଂସ୍କୃତ ବିଦ୍ୱାନ ତଥା ତିରୁପତି କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀଙ୍କ ଦ୍ୱାରା ବଳରାମ ଦାସ କୃତ ଓଡ଼ିଆ ଲକ୍ଷ୍ମୀପୁରାଣର ସଂସ୍କୃତ ଅନୁବାଦ ଗ୍ରନ୍ଥ ମୁଖ୍ୟଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଏଥିରେ ମାନ୍ୟବର ବିଧାୟକ, ପୁରୀ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ, ମାନ୍ୟବର ବିଧାୟକ, ବ୍ରହ୍ମଗିରି ଶ୍ରୀଯୁକ୍ତ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖଙ୍କ ସହ ସଭାପତି, ଭାରତୀୟ ଭାଷା ସମିତି, ଭାରତ ସରକାର ପଦ୍ମଶ୍ରୀ ସି.ଏମ୍ କ୍ରିଷ୍ଣା ଶାସ୍ତ୍ରୀ, ଡକ୍ଟର ନିତା ପ୍ରସାଦ, ଯୁଗ୍ମ ସଚିବ, ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାର, ଡକ୍ଟର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର, ବିହାରର କୁଳପତି ପ୍ରଫେସର ଫ୍ରଫୁଲ୍ଲ କୁମାର ମିଶ୍ର, ଶ୍ରୀମନ୍ଦିର ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ପ୍ରଥମ ଦିବସ ର ଆଲୋଚନା ଚକ୍ରରେ ପାଖାପାଖି ୩୦ଗୋଟି ପ୍ରବନ୍ଧ ଉପସ୍ଥାପିତ କରାଯାଇଥିବା ବେଳେ ଲାଲବାହାଦୁର କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରାପ୍ତନ କୁଳପତି ରମେଶ କୁମାର ପାଣ୍ଡେ , ତିରୁପତି କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କୃଷ୍ଣମୂର୍ତ୍ତୀ, ପୌରୁଷ ପତ୍ରିକାର ସମ୍ପାଦକ ଡକ୍ଟର ଅସିତ ମହାନ୍ତି, କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଏ.ପି.ସଚ୍ଚିଦାନନ୍ଦ, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ସଂସ୍କୃତ ବିଭାଗର ବିଭାଗଧ୍ୟକ୍ଷ ପ୍ରଫେସର ଗୋପାଳ କୃଷ୍ଣ ଦାସଙ୍କ ସମେତ ଅନେକ ବିଦ୍ୱାନମାନଙ୍କୁ ନେଇ ଏକ ଶୈକ୍ଷଣିକ ସତ୍ତ୍ର ଅନୁଷ୍ଠିତ ହୋଇଥିଲା ଯାହାର ଅଧ୍ୟକ୍ଷତା ପ୍ରଫେସର ଅତୁଲ କୁମାର ନନ୍ଦ କରିଥିବା ବେଳେ ସଂଯୋଜନା କରି୍ଥିଲେ ପରିସରର ବରିଷ୍ଠ ପ୍ରଫେସର ମିନିତି ରଥ ।
ଏହି ସମଗ୍ର କାର୍ଯ୍ୟକ୍ରମକୁ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀନିବାସ ବରଖେଡ଼ି ଅଧ୍ୟକ୍ଷତା କରିଥିବା ବେଳେ ପରିସରର ନିର୍ଦ୍ଦେଶକ ପ୍ରଫେସର ଅତୁଲ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ପ୍ରଫେସର ରମାକାନ୍ତ ମିଶ୍ର । ପରିଶେଷରେ ପରିସରର ଅଧ୍ୟାୟୀମାନଙ୍କୁ ନେଇ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିବା ବେଳେ ଭାରତ-ଜାପାନ ବନ୍ଧୁତ୍ୱ କେନ୍ଦ୍ର ଦ୍ୱାରା ଜାପାନିଜ୍ ଡ୍ରମ ନାକୋସ୍ ପରିବେଷଣ ହୋଇଥିଲା |ଏଥି ସହିତ ଲକ୍ଷ୍ମୀପୁରାଣକୁ ନେଇ ରଙ୍ଗଶାଳା ଦ୍ୱାରା ଏକ ନୃତ୍ୟନାଟିକା ମଞ୍ଚସ୍ଥ ହୋଇ ସମଗ୍ର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।