ଭୁବନେଶ୍ୱର – ଦେଶର ରାଜଧାନୀ ଦିଲ୍ଲୀ ସମେତ ଉତର ଭାରତ ଥରୁଛି । ପ୍ରବଳ ଥଣ୍ଡା ଓ କୋହଲା ପବନ ଯୋଗୁଁ ସାଧାରଣ ଲୋକଙ୍କ ଘରୁ ବାହାରିବା ଅସମ୍ଭବ ହୋଇଯାଇଛି । ଦିଲ୍ଲୀରେ ଶୀତ ୧୧୮ ବର୍ଷ ରେକର୍ଡ ଭାଙ୍ଗିଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଶନିବାର ସକାଳେ ଦିଲ୍ଲୀର ଲୋଧୀ ରୋଡ୍ ଅଂଚଳରେ ସବୁଠାରୁ କମ୍ ତାପମାତ୍ର ୧.୭ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା । ସେହିପରି ସଫଦରଗଂଜରେ ୨.୪ ଡିଗ୍ରୀ, ପାଲମରେ ୩.୧ ଓ ଆୟାନଗର ରେ୧.୯ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା । ଅନ୍ୟପକ୍ଷରେ ଉତର ଭାରତର ବହୁ ରାଜ୍ୟରେ ପ୍ରବଳ ଶୀତ ସହ ବରଫପାତ ଜାରୀ ରହିଛି ।
ବହୁ ବର୍ଷ ପୂର୍ବେ ୧୯୦୧ ରେ ଏଭଳି ଶୀତ ପଡିଥିଲା ବୋଲି ଜଣାପଡିଛି । ସେହିବର୍ଷ ଡିସେମ୍ବର ଦ୍ୱିତୀୟ ସପ୍ତାହରେ ଦିଲ୍ଲୀର ତାପମାତ୍ରା ଖୁବ୍ କମ୍ ହୋଇଯାଇଥିଲା । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଦିଲ୍ଲୀରେ ଏଭଳି ସ୍ଥିତି ଲାଗି ରହିବ । ୩୧ ଡିସେମ୍ବର ଠାରୁ ଜାନୁଆରୀ ୨ ତାରିଖ ମଧ୍ୟରେ ଦିଲ୍ଲୀରେ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଶୀତର ଲହରି ଜାରୀ ରହିବ ବୋଲି ଅନୁମାନ କରାଯାଇଛି ।
ଥଣ୍ଡାର ମାତ୍ରା ବଢିବା ସଙ୍ଗେ ସଙ୍ଗେ ଦିଲ୍ଲୀ –ଏନସିଆରରେ ପ୍ରଦୂଷଣ ସ୍ତର ମଧ୍ୟ ବୃଦ୍ଧି ପାଇଛି । ଶୁକ୍ରବାର ଦିନ ଇଣ୍ଡିଆ ଗେଟ୍ ନିକଟରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୬୭ ରେକର୍ଡ କରାଯାଇଛି, ଯାହାକି ବିପଦଜନକ ।
ଆଇଏମଡିର ସୂଚନା ଅନୁସାରେ ଡିସେମ୍ବରରେ ଦିଲ୍ଲୀର ସର୍ବାଧିକ ତାପମାତ୍ରା ହାରାହାରି ୧୯.୮୫ ଡିଗ୍ରୀ ରେକର୍ଡ ହୋଇଛି ।