ବଲାଙ୍ଗିର, ଟିକ୍ରାପଡା ଅହୋରାତ୍ର ନାମଯଜ୍ଞର ସୁବର୍ଣ୍ଣ ଜୟନ୍ତୀ ସମାରୋହ ନଭେମ୍ବର 20 ଓ ପଞ୍ଚକୁଣ୍ଡିୟ ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ ନଭେମ୍ବର 22 ତାରିଖରୁ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣ୍ଣମୀରେ ସମାପନ ହେବ । ଗତକାଲି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଶ୍ରୀ କୃଷ୍ଣ ଚୈତନ୍ୟ ସେବା ସଂସ୍ଥାନ ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଏହି ଅନୁଷ୍ଠାନର ସଭାପତି ପ୍ରକାଶ କୁମାର ନେପାକ ଆସନ୍ତା ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଆୟୋଜନ ହେବାକୁ ଥିବା ନାମଯଜ୍ଞ, ପଞ୍ଚକୁଣ୍ଡିୟ ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞର ରୂପରେଖ ବିଷୟରେ ଅବଗତ କରିଥିଲେ ।
50 ତମ ଅହୋରାତ୍ର ନାମଯଜ୍ଞର କଳସ ଶୋଭାଯାତ୍ରା ଓ ଅଧିବାସ ୧୯ ତାରିଖ ଅପରାହ୍ନ 4 ଘଣ୍ଟା ସମୟରେ ସ୍ଵାମୀ ମୁକ୍ତାନନ୍ଦ ସରସ୍ବତୀ ଓ ସ୍ଵାମୀଙ୍କ ଉପସ୍ଥିତିରେ ଶୁଭାରମ୍ଭ ହେବ । ସୋମବାର ୨୦ ତାରିଖ ଦିନ ଦିବା 9 ଘଣ୍ଟା ସମୟରେ ଉଭୟ ସ୍ୱାମୀଜୀଙ୍କ ଦ୍ୱାରା ନାମାରମ୍ଭ ହେବ । ଏହି ନାମଯଜ୍ଞରେ ଦୂରଦୂରାନ୍ତରୁ କୀର୍ତ୍ତନ ଦଳ ପ୍ରଭୁଙ୍କ ନାମ ନେବାକୁ ଆସିବେ । ଆସନ୍ତା ୨୨ତାରିଖଠାରୁ ପାଞ୍ଚ ଦିନ ଧରି ପଞ୍ଚକୁଣ୍ଡିୟ ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ ସ୍ଵାମୀ ତେଜମୟନନ୍ଦ ସରସ୍ବତୀଙ୍କ ଦ୍ୱାରା ଶୁଭାରମ୍ଭ କରାଯିବ । ନାମଯଜ୍ଞ କର୍ତ୍ତା ଅଙ୍କୁଶ ପ୍ରସାଦ ହୋତା ଓ ସହଧର୍ମିଣୀ ସାଗରିକା ହୋତା ଏବଂ ମହାଯଜ୍ଞର ମୁଖ୍ୟକର୍ତ୍ତା ବୈଷ୍ଣବ ସାହୁ ଓ ସହଧର୍ମିଣୀ ସ୍ନେହଲତା ସାହୁ ସହ ଏକୋଇଶି ଜଣ ଯୋଡି ଯଜ୍ଞ କର୍ତ୍ତା ରହିବେ । ବିଭିନ୍ନ ସହରରୁ ସାଧୁସନ୍ଥ ମାନେ ଏହି ମହା ଯଜ୍ଞରେ ଯୋଗଦାନ ଦେଇ ଜନସାଧାରଣଙ୍କୁ ଆଶୀର୍ବାଦ ପ୍ରଦାନ କରିବେ ବୋଲି ଏହି ସଂସ୍ଥା ର ଉପସଭାପତି ପ୍ରଦୀପ ସାହୁ ସୂଚନା ଦେବା ସହ ପ୍ରତିଦିନ ସନ୍ଧ୍ୟାରେ ବିଦ୍ୟାଳୟ ସ୍ତରୀୟ ଆଧ୍ୟାତ୍ମିକତା ଉପରେ ଆଧାରିତ ପ୍ରତିଯୋଗିତା ମାନ ଅନୁଷ୍ଠିତ ହେବ ।
ପ୍ରତିଷ୍ଠାତା ସଭ୍ୟ ମୁଖ୍ୟ ଉପଦେଷ୍ଟା ଭଗବାନ ବଗର୍ତି ଦୀର୍ଘ ପଚାଶ ବର୍ଷ ଧରି ଗୌରବ ଅର୍ଜନ କରିଥିବା ସୁବର୍ଣ୍ଣ ଜୟନ୍ତି ଅବସରରେ ସ୍ବର୍ଗତ ପ୍ରତିଷ୍ଠାତା ସଭ୍ୟ ତଥା ପ୍ରତିଷ୍ଠାତା ସଭ୍ୟ, କୀର୍ତନ୍ୟ ଗୁରୁ ମାନଙ୍କୁ ପ୍ରତିଦିନ ସନ୍ଧ୍ୟାରେ ଆୟୋଜିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ଦେବା ସହ ସହରର ପାଞ୍ଚ ଜଣ ବ୍ୟକ୍ତି ବିଶେଷ ଯେଉଁ ମାନେ ଆଧ୍ୟାତ୍ମିକ ତଥା ବିଭିନ୍ନ ଧର୍ମାନୁଷ୍ଠାନ ସହ ସଂଶ୍ଲିଷ୍ଟ ରହି ସନାତନ ଧର୍ମର ପ୍ରଚାର କରିଆସୁଛନ୍ତି । ସଂସ୍ଥାର ସମ୍ପାଦକ ଅଙ୍କୁଶ ହୋତା ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, ସଭା କାର୍ଯ୍ୟକ୍ରମ, ଭଜନ ଇତ୍ୟାଦି ଆୟୋଜକ କରାଯିବାର ସୂଚନା ଦେଇଥିଲେ । ବରିଷ୍ଠ ସଭ୍ୟ ସନ୍ତକ ବହିଦାର ସୁବର୍ଣ୍ଣ ଜୟନ୍ତି ଉପଲକ୍ଷେ ଏକ ସ୍ମରଣିକା ପ୍ରକାଶ କରାଯିବ ବୋଲି ସୂଚନା ଦେଇଥିଲେ । ମହିଳା କମିଟି ସଭାପତି ବନେଶ୍ୱରୀ ବେହେରା ମହିଳା ମାନଙ୍କର ରଙ୍ଗୋଲି, ହୁଳହୁଳି, ଶଙ୍ଖ ଫୁଙ୍କା ଓ ଛପନ ଭୋଗ ପ୍ରତିଯୋଗିତା ମାନ ଅନୁଷ୍ଠିତ ହେବ ବୋଲି କହିଥିଲେ । ମହିଳା କମିଟି ଉପସଭାପତି ଦମୟନ୍ତି ବାଗ, କୋଷଧ୍ୟକ୍ଷ ହରେକୃଷ୍ଣ ପାତ୍ର, ଯୁଗ୍ମ ସମ୍ପାଦକ ଦୁର୍ଗା ସାହୁ ସମସ୍ତ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ ।