
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଜିଲ୍ଲାର ୨୨ଟି ବ୍ଳକର ବିଭିନ୍ନ ଅଂଚଳରେ ବର୍ତମାନ ଭୟଙ୍କର ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି । ଚାଷ କ୍ଷେତକୁ ଜଳସେଚନ ସୁବିଧା ନ ଥିବା ଯୋଗୁଁ ଫସଲ ହାନୀ ଏଠାରେ ମୁଖ୍ୟ କାରଣ ହୋଇଛି । ଫଳରେ ହଜାର ହଜାର ଚାଷୀ ଗାଁ ଗଣ୍ଡା ଛାଡ଼ି ବାହାର ରାଜ୍ୟକୁ ଦାଦନ ଯିବାକୁ ବାହାରିଲେଣି । ଆଜି ପର୍ଯ୍ୟନ୍ତ ସରକାର କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଦୁଃସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରାଯାଇ ନଥିବା କ୍ଷତିଗ୍ରସ୍ତ ଚାଷୀମାନେ ଅଭିଯୋଗ କରିଛନ୍ତି । କ୍ଷୟ କ୍ଷତି ଓ ମରୁଡ଼ି ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିପାଇଁ ଗତ ୧୬ ତାରିଖ ଦିନ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ ପଟ୍ଟନାୟକ ଓ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନେତୃତ୍ୱରେ ଏକ ୨୧ ଜଣିଆ ଟିମ୍ ଦିଗପହଣ୍ଡି, ସାନଖେମୁଣ୍ଡି, କୁକୁଡ଼ାଖଣ୍ଡି, ଧରାକୋଟ ପ୍ରଭୃତି ମରୁଡ଼ି ପ୍ରଭାବିତ ୧୪ଗୋଟି ସ୍ଥାନକୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ । ଏହାପରେ ଏହି ପ୍ରତିନିଧି ମଣ୍ଡଳୀ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଛତ୍ରପୁରଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ କଂଗ୍ରେସ ଦଳ ତରଫରୁ ମରୁଡ଼ି ସ୍ଥିତି ଅନୁଧ୍ୟାନ କରାଯାଇଥିବା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଫସଲ କ୍ଷତିଗ୍ରସ୍ତ ଅଂଚଳଗୁଡ଼ିକୁ ମରୁଡ଼ି ଅଂଚଳ ଘୋଷଣା, ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଚ୍ଛା ୨୫ ହଜାର ଟଙ୍କା ସହାୟତା, ସମ୍ପୂର୍ଣ୍ଣ କୃଷି ଋଣ ଛାଡ଼, ମାଗଣା ବିଜୁଳି, ସୋଲାର ପମ୍ପସେଟ୍ ପ୍ରଦାନ, ବତର ଥିବା ଅଂଚଳଗୁଡ଼ିକରେ ଡାଲି ପ୍ରଭୃତି ତୈଳବୀଜ ଜାତୀୟ ବିହନ ଯୋଗାଣ, ଉଦ୍ୟାନ ବିଭାଗ ପକ୍ଷରୁ ପନିପରିବା ମିନିକିଟ୍ସ ପ୍ରଦାନ, ଅଧିକୃତ ଫସଲ ବୀମା କ୍ଷତିପୂରଣ ପ୍ରଦାନ, କୃଷିକ୍ଷେତ୍ରରେ ମନରେଗା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ, ଭାଗଚାଷୀମାନଙ୍କୁ ସ୍ୱତନ୍ତ୍ର ସହାୟତା ଯୋଗାଇ ଦେବାକୁ କଂଗ୍ରେସ ପକ୍ଷରୁ ଦାବୀ କରାଯାଇଛି । ଯଦି ଏ ଦିଗରେ ଆଶୁ ପଦକ୍ଷେପ ଗ୍ରହଣ କରା ନ ଯାଏ, ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ସରକାର ଓ ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ଚାଷୀ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଜିଲ୍ଲା କଂଗ୍ରେସ କମିଟି ସଭାପତି ବିଧାୟକ ଶ୍ରୀ ଜେନା କହିଛନ୍ତି ।