ଗଞ୍ଜାମ– ଅନ୍ ଲାଇନ୍ ରେ ପାର୍ଟ ଟାଇମ୍ ନିଯୁକ୍ତି ସୁଯୋଗର ଲୋଭ ଦେଖାଇ ଜଣେ ଯୁବକଙ୍କ ଠାରୁ ସାଇବର୍ ଠକ ୯୬ ହଜାର ୬୦୦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏନେଇ ବୈଦ୍ୟନାଥପୁର ଥାନାରେ ଏତଲା ଦିଆଯାଇଥିବା ବେଳେ ପୋଲିସ ଏକ ମାମଲା ନଂ ୫୮୮/୨୩ ରେ ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । କମାପଲ୍ଲୀ ଅଂଚଳର ଜଣେ ଯୁବକ ଏହି ଠକେଇର ଶିକାର ହୋଇଛନ୍ତି ।
ତାଙ୍କ ଅଭିଯୋଗ ମୁତାବକ, ଗତ ୩ ତାରିଖରେ ଏକ ଟେଲିଗ୍ରାମ୍ ଗୃପ୍ ରେ ଯୋଡି ହୋଇ ପାର୍ଟ ଟାଇମ୍ ନିଯୁକ୍ତିର ସୁଯୋଗ ଥିବା ନେଇ ତାଙ୍କ ନିକଟକୁ ଏକ ହ୍ଵାଟସ୍ ଆପ୍ ମେସେଜ୍ ଆସିଥିଲା । ଯୁବକ ଜଣକ ସେଥିରେ ଯୋଡିହେବା ପରେ ତିନୋଟି ଟାସ୍କ ସମ୍ପୂର୍ଣ୍ଣ କଲା ପରେ କମିଶନ ପାଇବେ ବୋଲି କୁହାଯାଇଥିଲା । ପୁଣି ଆଉ ଏକ ଭିଆଇପି ଗୃପ୍ ରେ ଯୋଡି ହେଲେ ଅଧିକ ଟଙ୍କା କମିଶନ ମିଳିବ ବୋଲି ଲୋଭ ଦେଖାଇଥିଲେ । ଏହାକୁ ବିଶ୍ଵାସ କରି ଯୁବକ ଜଣକ ୫ ହଜାର ଟଙ୍କା ଦେଇ ଗତ ୫ ତାରିଖରେ ସେହି ଭିଆଇପି ଗୃପ୍ ରେ ଯୋଡି ହୋଇଥିଲେ । ଏହାପରେ ତାଙ୍କୁ ତିନୋଟି ଟାସ୍କ ଦିଆଯାଇଥିଲା । ପ୍ରଥମଟି ବି ଟକ୍ ଏନ କିଣିବା, ଦ୍ୱିତୀୟରେ ୨୪ ହଜାର ୮୦୦ ଟଙ୍କା ଏବଂ ତୃତୀୟରେ ୬୬ ହଜାର ୮୦୦ ଟଙ୍କା ଦେବା । ସମସ୍ତ ଟାସ୍କ ଶେଷ କରିବା ପରେ ସୁଦ୍ଧା ତାଙ୍କୁ କମିଶନ ମିଳିନଥିଲା । ସାଇବର୍ ଠକେଇର ଶିକାର ହୋଇଥିବା ଅନୁଭବ କରି ଗତ ୬ ତାରିଖରେ ଟୋଲ୍ ଫ୍ରି ନମ୍ବର ୧୯୩୦କୁ କଲ୍ କରି ଅଭିଯୋଗ କରିଥିଲେ । ତାଙ୍କୁ ଏକ ଏକନଲେଜମେଂଟ ନମ୍ବର ମିଳିବା ପରେ ଏବେ ସେ ବୈଦ୍ୟନାଥପୁର ଥାନାରେ ଏତଲା କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।