ଭୁବନେଶ୍ୱର– ରାଜ୍ୟ ସରକାର ଆମ ପିଲାମାନଙ୍କୁ ସେମାନଙ୍କର ମୌଳିକ ଅଧିକାରରୁ ବଂଚିତ କରିଛନ୍ତି । ଶିକ୍ଷାନୁଷ୍ଠାନ ଗୁଡିକର ଅବସ୍ଥା ନକହିଲେ ଭଲ, । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତିିନି ତିନିଥର ଚିଠି ଲେଖି ରାଜ୍ୟରେ ପିଏମ୍ଶ୍ରୀ ସ୍କୁଲ ଯୋଜନାକୁ ଲାଗୁ କରିବାକୁ ଜଣାଇଥିଲେ । ପିଏମ୍ଶ୍ରୀ ସ୍କୁଲ ଯୋଜନାରେ ପ୍ରତି ବ୍ଲକରେ ସର୍ବାଧିକ ୨ଟି ପିଏମ୍ଶ୍ରୀ ବିକଶିତ କରାଯିବାର ବ୍ୟବସ୍ଥା ରହିଛି । ରାଜ୍ୟରେ ଏହି ଯୋଜନା ଲାଗୁ ନକରିବା ଦ୍ୱାରା ପ୍ରାୟ ୬୨୮ଟି ଆଧୁନିକ ବିଦ୍ୟାଳୟ ରାଜ୍ୟ ହରାଇଲା । ଏହି ଯୋଜନାରେ ଡିବିଟିମାଧ୍ୟମରେ ସ୍କୁଲକୁ ଟଙ୍କା ଯିବା ସହିତ ସ୍କୁଲର ଭିତିଭୂମି ପାଇଁ ଆସିଥିବା ୪୦ପ୍ରତିଶତ ଅର୍ଥ ଖର୍ଚ୍ଚର ଦାୟିତ୍ୱ ସ୍ଥାନୀୟ କମିଟି ନେଇଥାନ୍ତେ । ଆଧୁନିକ ଟେକନୋଲୋଜି, ଭର୍ଚୁଆଲ ଲ୍ୟାବ ସହ ଧନ୍ଧାମୂଳକ ଶିକ୍ଷା, ଉଦ୍ୟମୀତା ତଥା କ୍ରୀଡାକୁ ଗୁରୁତ୍ୱ ଦିଆଯିବା ସହିତ ବିଦ୍ୟା ସମୀକ୍ଷା କେନ୍ଦ୍ର ଦ୍ୱାରା ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ପ୍ରଦର୍ଶନର ମୂଲ୍ୟାଙ୍କନ କରାଯିବା ଏହି ଯୋଜନାର ମୂଳଲକ୍ଷ୍ୟ । ଗ୍ରୀନ୍ ସ୍କୁଲ ପରିକଳ୍ପନାରେ ପିଏମ୍ଶ୍ରୀ ସ୍କୁଲକୁ ନିର୍ମାଣ କରାଯିବା ଓ ପୃଷ୍ଟିକର ବଗିଚା, ବର୍ଯ୍ୟପରିଚାଳନା, ପ୍ଲାଷ୍ଟିକ ମୁକ୍ତ ପରିବେଶ ଉପରେ ସଚେତନ କରାଯିବା ସହ ଭାଷା ଆଧାରିତ ଶିକ୍ଷାକୁ ପ୍ରାଧାନ୍ୟ ଦେବାର ଏହି ଯୋଜନାର ମୂଳଲକ୍ଷ୍ୟ ।କିନ୍ତୁ ରାଜ୍ୟ ସରକାରଙ୍କ ହୀନରାଜନୀତି ପାଇଁ ଓଡ଼ିଶାର ପିଲାମାନେ ଏହି ଯୋଜନାରୁ ବଂଚିତ ଅଛନ୍ତି ।୨୦୨୨-୨୩ ରୁ ୨୦୨୬-୨୭ପର୍ଯ୍ୟନ୍ତ ଆଗାମୀ ୫ବର୍ଷ ମଧ୍ୟରେ ଦେଶରେ ଏହି ଯୋଜନାରେ ୨୭,୩୬୦କୋଟି ଟଙ୍କା ଖର୍ଚ୍ଚ କରିବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଥିବାବେଳେ ରାଜ୍ୟ ତାର ଭାଗ ପ୍ରାୟ ୧୦୦୦ରେ କୋଟି ଟଙ୍କା ହରାଇଲା । ରାଜନୈତିକ ହୀନ ଉଦ୍ଦେଶ୍ୟ ଛାଡି ରାଜ୍ୟ ସରକାର ପିଲାମାନଙ୍କ ସୁନ୍ଦର ଭବିଷ୍ୟତ ପାଇଁ ପିଏମ୍ଶ୍ରୀ ସ୍କୁଲ ଯୋଜନାକୁ ତୁରନ୍ତ ଲାଗୁ କରିବା ପାଇଁ ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀମତୀ ସୋନାଲି ସାହୁ ଦାବି କରିଛନ୍ତି ।
ସେ କହିଛନ୍ତି ବିଦ୍ୟାଳୟ ଗୁଡିକରେ ଆବଶ୍ୟକତା ମୁତାବକ ଶିକ୍ଷକ ନାହାଁନ୍ତି । ରାଜ୍ୟର ୪୬ହଜାର ସ୍କୁଲରୁ ୧୯ହଜାର ସ୍କୁଲରେ ହେଡ୍ମାଷ୍ଟର ନାହାଁନ୍ତି । ୮ହଜାର ସ୍କୁଲରେ ୧୨ହଜାର ସହାୟକ ଶିକ୍ଷକ ନାହାଁନ୍ତି । ୩୦ହଜାର ସ୍କୁଲରେ କମ୍ପ୍ୟୁଟର ନାହିଁ କି କମ୍ପ୍ୟୁଟର ଶିକ୍ଷକ ନାହାଁନ୍ତି । ୨୦ହଜାରରୁ ଉର୍ଦ୍ଧ୍ୱ ବିଦ୍ୟାଳୟରେ ବିଜୁଳି ସଂଯୋଗ ନାହିଁ । ୪୦ହଜାର ସ୍କୁଲର ଖେଳ ପଡିଆ ନାହିଁ । ପ୍ରାୟ ୧୦ହଜାର ସ୍କୁଲରେ ଶୌଚାଳୟ ନାହିଁ । ସର୍ବଭାରତୀୟ ସ୍ତରରେ ଓଡ଼ିଶାରେ “ଡ୍ରପାଉଟ୍” ସଂଖ୍ୟା ସବୁଠୁ ଅଧିକ । ଶିକ୍ଷକମାନଙ୍କ ଭିତରେ ‘କ୍ଲାସିଫିକେସନ” କରାଯିବା କାରଣରୁ ଏହାର ପ୍ରଭାବ ସିଧାସଳଖଭାବେ ଛାତ୍ରଛାତ୍ରୀଙ୍କ ଉପରେ ପଡୁଛି ।ସ୍କୁଲ ଗୁଡିକୁ ୫-ଟି ରୂପାନ୍ତରଣ ନାଁରେ ଦଳୀୟ କଂଟ୍ରାକ୍ଟରମାନଙ୍କୁ ପୋଷିବା ରାଜ୍ୟ ସରକାରଙ୍କ ମୂଳଲକ୍ଷ୍ୟ । ବିନା ଟେଣ୍ଡରରେ ନିର୍ଦ୍ଦିଷ୍ଟ ୨ଜଣ ଅଣଓଡ଼ିଆ କଂଟ୍ରାକ୍ଟରଙ୍କୁ ସ୍କୁଲ ଗୁଡିକର କାମ ୫୦-୫୦ପିସିରେ କରିବା ପାଇଁ ଦିଆଯିବା ଦୁର୍ଭାଗ୍ୟଜନକ । କେବଳ ରଙ୍ଗମାରିଦେଲେ ଶିକ୍ଷାର ବିକାଶ ହୋଇଯାଏ ନାହିଁ । ଆମ ଶିକ୍ଷା ବ୍ୟବସ୍ଥା ଏଭଳି ଯେ, ୧୦୦ଜଣ ପିଲା ମଧ୍ୟରୁ ୪୭ଜଣ ପିଲା ପାଠ ବିଷୟରେ କିଛି ଜାଣନ୍ତି ନାହିଁ । ସରକାର ସ୍କୁଲରେ ଶିକ୍ଷକ ପରିବର୍ତେ ଶିକ୍ଷା ସହାୟକ ରଖୁଛନ୍ତି । ପ୍ରତି ସ୍କୁଲରେ ଅନ୍ୟୁନ ୨ଜଣ ଶିକ୍ଷକ ରଖିବାକୁ କହିଲେ ସରକାର ପାଖ ସ୍କୁଲରେ ମିଶାଇ ଦେଉଛନ୍ତି । ୧୦୦ଜଣରୁ ୭୬ଜଣ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ପିଲାଙ୍କୁ ଫେଡାଣ ମଧ୍ୟ କରିଆସୁନାହିଁ । ଏପଟେ ଶିକ୍ଷାନୁଷ୍ଠାନ ଗୁଡିକର ବିକାଶ ନାଁରେ ୫-ଟି ଜରିଆରେ ୪,୨୦୦କୋଟି ଚଳୁ କରି ଏବେ ମୋ ସ୍କୁଲ ଅଭିଯାନରେ ୫-ସି ଲାଗୁ କରିଛନ୍ତି ବୋଲି ଶ୍ରୀମତୀ ସାହୁ କହିଛନ୍ତି ।