-
ପିଏମ୍ଶ୍ରୀ ସ୍କୁଲ ଯୋଜନାକୁ ତୁରନ୍ତ ଲାଗୁ କରନ୍ତୁ ରାଜ୍ୟ ସରକାର : ସୋନାଲି ସାହୁ
-
ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛନ୍ତି ରାଜ୍ୟ ସରକାର
-
ଓଡିଶାରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଦିଗହରା
-
ରାଜ୍ୟର ୪୬ହଜାର ସ୍କୁଲରୁ ୧୯ହଜାର ସ୍କୁଲରେ ହେଡ୍ମାଷ୍ଟର ନାହାଁନ୍ତି । ୮ହଜାର ସ୍କୁଲରେ ୧୨ହଜାର ସହାୟକ ଶିକ୍ଷକ ନାହାଁନ୍ତି
-
୩୦ହଜାର ସ୍କୁଲରେ କମ୍ପ୍ୟୁଟର ନାହିଁ କି କମ୍ପ୍ୟୁଟର ଶିକ୍ଷକ ନାହାଁନ୍ତି । ୨୦ହଜାରରୁ ଉର୍ଦ୍ଧ୍ୱ ବିଦ୍ୟାଳୟରେ ବିଜୁଳି ସଂଯୋଗ ନାହିଁ
-
୪୦ହଜାର ସ୍କୁଲର ଖେଳ ପଡିଆ ନାହିଁ । ପ୍ରାୟ ୧୦ହଜାର ପ୍ରାୟ ସ୍କୁଲରେ ଶୌଚାଳୟ ନାହିଁ
ଭୁବନେଶ୍ୱର: ବିଶିଷ୍ଟ ଅର୍ଥନୀତିଜ୍ଞ ଅମତ୍ୟସେନ୍ କହିଥିଲେ “ଯେଉଁ ଦେଶ ଶିକ୍ଷାକୁ ଗୁରୁତ୍ୱ ଦିଏ ସେହି ଦେଶ ସେତେ ବିକଶିତ” ହୋଇଥାଏ କିନ୍ତୁ ଓଡ଼ିଶାରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ଓଡିଶାରେ ଶିକ୍ଷା ବ୍ୟବସ୍ଥା ଦିଗହରା । ରାଜ୍ୟ ସରକାର ଆମ ପିଲାମାନଙ୍କୁ ସେମାନଙ୍କର ମୌଳିକ ଅଧିକାରରୁ ବଂଚିତ କରିଛନ୍ତି । ୨୦୧୭ରେ ‘ମୋ ସ୍କୁଲ’ର ପରିକଳ୍ପନା କରି, ସବୁ ସ୍କୁଲର କାନ୍ଥ ବାଡରେ “ଆମେ ପଢିବୁ, ଗଢିବୁ, ଶ୍ରେଷ୍ଠ ହେବୁ” ବୋଲି ସ୍ଲୋଗାନ ମାନ ଲେଖାଥିବାର ଦେଖିବାକୁ ମିଳିଥିଲା, କିନ୍ତୁ ବାସ୍ତବରେ ପଢିବା, ଗଢିବା ଓ ଶ୍ରେଷ୍ଠ ହେବା ପାଇଁ ଯାହା ଯାହା ଆବଶ୍ୟକ ସେ ସବୁ ଆବଶ୍ୟକତା ପୂରଣ କ୍ଷେତ୍ରରେ ରାଜ୍ୟ ସରକାର ପଛୁଆ । ଶିକ୍ଷାନୁଷ୍ଠାନ ଗୁଡିକର ଅବସ୍ଥା ନକହିଲେ ଭଲ, କେଉଁଠି ସ୍କୁଲ ଘର ଛାତରୁ ପାଣି ଗଳିଲାଣିତ, କେଉଁଠି ଛାତ ପୁରା ଗଳି ପଡିଲାଣି । କେଉଁଠି ପାଚେରୀ ଭାଙ୍ଗି ଗଲାଣିତ, ପୁଣି କେଉଁଠି ପିଲାମାନେ ଗଛ ମୂଳେ ପାଠ ପଢୁଥିବାର ଦେଖାଗଯାଉଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀମତୀ ସୋନାଲି ସାହୁ କହିଛନ୍ତି ।
ବିଦ୍ୟାଳୟ ଗୁଡିକରେ ଆବଶ୍ୟକତା ମୁତାବକ ଶିକ୍ଷକ ନାହାଁନ୍ତି । ରାଜ୍ୟର ୪୬ହଜାର ସ୍କୁଲରୁ ୧୯ହଜାର ସ୍କୁଲରେ ହେଡ୍ମାଷ୍ଟର ନାହାଁନ୍ତି । ୮ହଜାର ସ୍କୁଲରେ ୧୨ହଜାର ସହାୟକ ଶିକ୍ଷକ ନାହାଁନ୍ତି । ୩୦ହଜାର ସ୍କୁଲରେ କମ୍ପ୍ୟୁଟର ନାହିଁ କି କମ୍ପ୍ୟୁଟର ଶିକ୍ଷକ ନାହାଁନ୍ତି । ୨୦ହଜାରରୁ ଉର୍ଦ୍ଧ୍ୱ ବିଦ୍ୟାଳୟରେ ବିଜୁଳି ସଂଯୋଗ ନାହିଁ । ୪୦ହଜାର ସ୍କୁଲର ଖେଳ ପଡିଆ ନାହିଁ । ପ୍ରାୟ ୧୦ହଜାର ସ୍କୁଲରେ ଶୌଚାଳୟ ନାହିଁ । ବିଜ୍ଞାନ ଶିକ୍ଷକ, ସଂସ୍କୃତ ଶିକ୍ଷକଙ୍କୁ ତ ଦେଖିବାକୁ ମିଳୁନି । ରାଜ୍ୟରେ ୨୦୦ପିଲାରେ ଜଣେ ଶିକ୍ଷକ । ସେଥିରୁ ଅଧେ ଦିନ ଭୁବନେଶ୍ୱରର ପିଏମ୍ଜି ଛକରେ ଧାରଣା ଦେବାରେ ଯାଉଛି, ପଢ଼େଇବ କିଏ? ସ୍କୁଲ୍ ସବୁ ମାଷ୍ଟର ବିନା ପଡିଆ । ୧୦୦ଜଣ ଶିକ୍ଷକଙ୍କ ମଧ୍ୟରୁ ୨୨ଜଣ ମାଷ୍ଟର ସରକାରଙ୍କର ବିଭିନ୍ନ କାର୍ଯ୍ୟରେ ଲିପ୍ତ ରହିଛନ୍ତି । ପ୍ରାୟ ୬୨ପ୍ରତିଶତ ସ୍କୁଲରେ ତାଲିମପ୍ରାପ୍ତ ରୋଷେୟା ନାହାଁନ୍ତି । ୫୦ପ୍ରତିଶତରୁ ଅଧିକା ସ୍କୁଲରେ କାଉନସେଲର୍ ନାହାଁନ୍ତି । ଯେଉଁମାନେ ପିଲାଙ୍କୁ ବୁଝାସୁଝା କରି ପଢିବା ପାଇଁ ଆଗ୍ରହ ସୃଷ୍ଟି କରାଇବେ । ସିଏଜି ରିପୋର୍ଟ ଅନୁସାରେ ୮ଟି ଆକାଂକ୍ଷିତ ଜିଲ୍ଲାରେ ୨୦୧୫-୧୬ରେ ୪୫ପ୍ରତିଶତ ପିଲା ରକ୍ତହୀନତାର ଶିକାର ହେଉଥିଲାବେଳେ ୨୦୨୧-୨୨ରେ ତାହା ବଢ଼ି ୬୫ ପ୍ରତିଶତରେ ପଂହଚିଛି । ଏଥିରେ ପିଲା କେମିତି ପଢ଼ିବେ, ବଢ଼ିବେ ଓ ଶ୍ରେଷ୍ଠ ହେବେ । ସେହି ୮ଟି ଆକାଂକ୍ଷିତ ଜିଲ୍ଲାରେ ୯୪ହଜାର ପିଲା ସମ୍ପୂର୍ଣ୍ଣ ଅସୁରକ୍ଷିତ ବୋଲି ଶ୍ରୀମତୀ ସାହୁ କହିଛନ୍ତି ।
ସର୍ବଭାରତୀୟ ସ୍ତରରେ ଓଡ଼ିଶାରେ “ଡ୍ରପାଉଟ୍” ସଂଖ୍ୟା ସବୁଠୁ ଅଧିକ । ସଦ୍ତମ ଉଦାହରଣ ହେଉଛି, ୨୦୨୩ ମାର୍ଚ୍ଚ ମାସରେ ମ୍ୟାଟ୍ରିକ ପରୀକ୍ଷା ଦେବା ପାଇଁ ୫ଲକ୍ଷ ୩୨ହଜାର ୭୪୯ ଛାତ୍ରଛାତ୍ରୀ ଫର୍ମ ଫିଲପ କରିଥିଲେ କିନ୍ତୁ ସେଥିରୁ ୯୦ହଜାର ୨୯ଜଣ ପରୀକ୍ଷା ଦେଇପାରି ନଥିଲେ । ଏହି “ଡ୍ରପାଉଟ୍”ର କାରଣ “ଚାଇଲ୍ଡ ଲେବର” ସଂଖ୍ୟା ଓଡିଶାରେ ହୁ ହୁ ହୋଇ ବଢ଼ୁଛି । ଏନ୍ସିଆରବି ରିପୋର୍ଟ ଅନୁସାରେ ପ୍ରତିଦିନ ରାଜ୍ୟରୁ ୧୧ଜଣ ଶିଶୁ ନିଖୋଜ ହେଉଛନ୍ତି । ସେମାନେ କୁଆଡେ ଗଲେ, କ’ଣ କରୁଛନ୍ତି ସେମାନଙ୍କ ବିଷୟରେ ସରକାରଙ୍କ ପାଖରେ କୌଣସି ଅତାପର୍ତା ନାହିଁ । ଅନ୍ୟପଟେ ରାଜ୍ୟ ସରକାର କ୍ରମାଗତଭାବେ ଶିକ୍ଷକମାନଙ୍କ ସହିତ ପ୍ରତାରଣା କରିଆସୁଥିବା କାରଣରୁ ରାଜ୍ୟରେ ଶିକ୍ଷାରମାନ ଖରାପ ହେଉଛି । ଶିକ୍ଷକମାନଙ୍କ ଭିତରେ ‘କ୍ଲାସିଫିକେସନ” କରାଯିବା କାରଣରୁ ଏହାର ପ୍ରଭାବ ସିଧାସଳଖଭାବେ ଛାତ୍ରଛାତ୍ରୀଙ୍କ ଉପରେ ପଡୁଛି ବୋଲି ଶ୍ରୀମତୀ ସାହୁ କହିଛନ୍ତି ।
ସ୍କୁଲ ଗୁଡିକୁ ୫-ଟି ରୂପାନ୍ତରଣ ନାଁରେ ଦଳୀୟ କଂଟ୍ରାକ୍ଟରମାନଙ୍କୁ ପୋଷିବା ରାଜ୍ୟ ସରକାରଙ୍କ ମୂଳଲକ୍ଷ୍ୟ । ବିନା ଟେଣ୍ଡରରେ ନିର୍ଦ୍ଦିଷ୍ଟ ୨ଜଣ ଅଣଓଡ଼ିଆ କଂଟ୍ରାକ୍ଟରଙ୍କୁ ସ୍କୁଲ ଗୁଡିକର କାମ ୫୦-୫୦ପିସିରେ କରିବା ପାଇଁ ଦିଆଯିବା ଦୁର୍ଭାଗ୍ୟଜନକ । କେବଳ ରଙ୍ଗମାରିଦେଲେ ଶିକ୍ଷାର ବିକାଶ ହୋଇଯାଏ ନାହିଁ । ଆମ ଶିକ୍ଷା ବ୍ୟବସ୍ଥା ଏଭଳି ଯେ, ୧୦୦ଜଣ ପିଲା ମଧ୍ୟରୁ ୪୭ଜଣ ପିଲା ପାଠ ବିଷୟରେ କିଛି ଜାଣନ୍ତି ନାହିଁ । ସରକାର ସ୍କୁଲରେ ଶିକ୍ଷକ ପରିବର୍ତେ ଶିକ୍ଷା ସହାୟକ ରଖୁଛନ୍ତି । ପ୍ରତି ସ୍କୁଲରେ ଅନ୍ୟୁନ ୨ଜଣ ଶିକ୍ଷକ ରଖିବାକୁ କହିଲେ ସରକାର ପାଖ ସ୍କୁଲରେ ମିଶାଇ ଦେଉଛନ୍ତି । ୧୦୦ଜଣରୁ ୭୬ଜଣ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ପିଲାଙ୍କୁ ଫେଡାଣ ମଧ୍ୟ କରିଆସୁନାହିଁ । ଏପଟେ ଶିକ୍ଷାନୁଷ୍ଠାନ ଗୁଡିକର ବିକାଶ ନାଁରେ ୫-ଟି ଜରିଆରେ ୪,୨୦୦କୋଟି ଚଳୁ କରି ଏବେ ମୋ ସ୍କୁଲ ଅଭିଯାନରେ ୫-ସି ଲାଗୁ କରିଛନ୍ତି ବୋଲି ଶ୍ରୀମତୀ ସାହୁ କହିଛନ୍ତି ।
ସେଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତିିନି ତିନିଥର ଚିଠି ଲେଖି ରାଜ୍ୟରେ ପିଏମ୍ଶ୍ରୀ ସ୍କୁଲ ଯୋଜନାକୁ ଲାଗୁ କରିବାକୁ ଜଣାଇଥିଲେ । ଏହି ଯୋଜନା ଦ୍ୱାରା ଜାତୀୟ ଶିକ୍ଷା ନୀତିର ମୂଳ ଉଦ୍ଦେଶ୍ୟକୁ ଲକ୍ଷ୍ୟ ରଖାଯାଇଥିଲା । ପିଏମ୍ଶ୍ରୀ ସ୍କୁଲ ଯୋଜନାରେ ପ୍ରତି ବ୍ଲକରେ ସର୍ବାଧିକ ୨ଟି ପିଏମ୍ଶ୍ରୀ ବିକଶିତ କରାଯିବାର ବ୍ୟବସ୍ଥା ରହିଛି । ରାଜ୍ୟରେ ଏହି ଯୋଜନା ଲାଗୁ ନକରିବା ଦ୍ୱାରା ପ୍ରାୟ ୬୨୮ଟି ଆଧୁନିକ ବିଦ୍ୟାଳୟ ରାଜ୍ୟ ହରାଇଲା । ଏହି ଯୋଜନାରେ ଡିବିଟିମାଧ୍ୟମରେ ସ୍କୁଲକୁ ଟଙ୍କା ଯିବା ସହିତ ସ୍କୁଲର ଭିତିଭୂମି ପାଇଁ ଆସିଥିବା ୪୦ପ୍ରତିଶତ ଅର୍ଥ ଖର୍ଚ୍ଚର ଦାୟିତ୍ୱ ସ୍ଥାନୀୟ କମିଟି ନେଇଥାନ୍ତେ । ଆଧୁନିକ ଟେକନୋଲୋଜି, ଭରଚ୍ୟୁଆଲ ଲ୍ୟାବ ସହ ଧନ୍ଧାମୂଳକ ଶିକ୍ଷା, ଉଦ୍ମୀତା ତଥା କ୍ରୀଡାକୁ ଗୁରୁତ୍ୱ ଦିଆଯିବା ସହିତ ବିଦ୍ୟା ସମୀକ୍ଷା କେନ୍ଦ୍ର ଦ୍ୱାରା ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ପ୍ରଦର୍ଶନର ମୂଲ୍ୟାଙ୍କନ କରାଯିବା ଏହି ଯୋଜନାର ମୂଳଲକ୍ଷ୍ୟ । ଗ୍ରୀନ୍ ସ୍କୁଲ ପରିକଳ୍ପନାରେ ପିଏମ୍ଶ୍ରୀ ସ୍କୁଲକୁ ନିର୍ମାଣ କରାଯିବା ଓ ପୃଷ୍ଟିକର ବଗିଚା, ବର୍ଯ୍ୟପରିଚାଳନା, ପ୍ଲାଷ୍ଟିକ ମୁକ୍ତ ପରିବେଶ ଉପରେ ସଚେତନ କରାଯିବା ସହ ଭାଷା ଆଧାରିତ ଶିକ୍ଷାକୁ ପ୍ରାଧାନ୍ୟ ଦେବାର ଏହି ଯୋଜନାର ମୂଳଲକ୍ଷ୍ୟ ଥିଲା କିନ୍ତୁ ରାଜ୍ୟ ସରକାରଙ୍କ ହୀନରାଜନୀତି ପାଇଁ ଓଡ଼ିଶାର ପିଲାମାନେ ଏହି ଯୋଜନାରୁ ବଂଚିତ ଅଛନ୍ତି ବୋଲି ଶ୍ରୀମତୀ ସାହୁ କହିଛନ୍ତି ।
୨୦୨୨-୨୩ ରୁ ୨୦୨୬-୨୭ପର୍ଯ୍ୟନ୍ତ ଆଗାମୀ ୫ବର୍ଷ ମଧ୍ୟରେ ଦେଶରେ ଏହି ଯୋଜନାରେ ୨୭,୩୬୦କୋଟି ଟଙ୍କା ଖର୍ଚ୍ଚ କରିବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଥିବାବେଳେ ରାଜ୍ୟ ତାର ଭାଗ ପ୍ରାୟ ୧୦୦୦ରେ କୋଟି ଟଙ୍କା ହରାଇଲା । କିନ୍ତୁ ବାରମ୍ବାର ଚିଠି କଲାପରେ ମଧ୍ୟ କାହିଁକି ରାଜ୍ୟ ସରକାର ପିଏମ୍ଶ୍ରୀ ଯୋଜନାକୁ ଲାଗୁ କରୁନାହାନ୍ତି? ଯେହେତୁ କେନ୍ଦ୍ରଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ନେତା, ତେଣୁ ରାଜ୍ୟ ରାଜନୈତିକ ଅସୁୟାଭାବ ରଖି ଜାଣିଶୁଣି ଏହି ଯୋଜନାକୁ ଲାଗୁ କରୁନାହାନ୍ତି । ଫଳରେ ଓଡିଶାର କୁନି କୁନି ପିଲାଙ୍କ ଭବିଷ୍ୟତକୁ ସରକାର ଅନ୍ଧାରକୁ ଠେଲି ଦେଇଛନ୍ତି । ରାଜନୈତିକ ହୀନ ଉଦ୍ଦେଶ୍ୟ ଛାଡି ପିଲାମାନଙ୍କ ସୁନ୍ଦର ଭବିଷ୍ୟତ ପାଇଁ ପିଏମ୍ଶ୍ରୀ ସ୍କୁଲ ଯୋଜନାକୁ ତୁରନ୍ତ ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଶ୍ରୀମତୀ ସାହୁ ଦାବି କରିଛନ୍ତି ।