-
“ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭୀଚାର”ର ବଳୟ ଭିତରେ ସମଗ୍ର ରାଜ୍ୟ : ମନମୋହନ ସାମଲ
-
ଧାମନଗର ବ୍ଲକ ଘେରାଓ କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ
-
ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କ ଅସନ୍ତୋଷର ପ୍ରତିଫଳନ ପ୍ରକାଶ ପାଇଛି
-
ପଂଚାୟତ, ବ୍ଲକ ରୁ ସଚିବାଳୟ – ସବୁଠି ଦୁର୍ନୀତି ଓ ଭ୍ରଷ୍ଟାଚାର
-
ଗତ ୯ ବର୍ଷରେ ରାଜ୍ୟକୁ କେନ୍ଦ୍ରରୁ ମୋଦି ସରକାର ଦେଇଛନ୍ତି ୧୮.୮୩ ଲକ୍ଷ କୋଟି ଟଙ୍କା
-
ଓଡିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କା ଲୁଟ ହେଉଛି
-
୫୦% ପିସି କମିଶନ ଟଙ୍କାରେ ମାଲେମାଲ ବିଜେଡି ନେତା, ମନ୍ତ୍ରୀ ଓ କୁଜିନେତା
-
ଲ’ଲେସ୍ନେସ୍ର ଶୀକାର ଶାନ୍ତିପ୍ରିୟ ଓଡିଶା ରାଜ୍ୟ
-
ରାଜ୍ୟରେ ଗଣତନ୍ତ୍ର ଓ ପଂଚାୟତରାଜ ବ୍ୟବସ୍ଥା ଧ୍ୱଂସାଭୀମୁଖୀ
-
ଓଡିଶା ଧନୀ, ବିଜେଡି ଧନୀ, କିନ୍ତୁ ଓଡିଶାବାସୀ ଗରୀବ
ଭୁବନେଶ୍ୱର /ଭଦ୍ରକ : ଓଡିଶାର ପ୍ରାକୃତିକ ସମ୍ପଦକୁ ଶାଗ ମାଛ ଦରରେ ଅଣ ଓଡିଆ ବ୍ୟବସାୟୀ ମାନଙ୍କ ହାତରେ ଟେକି ଦିଆଯାଉଛି । କିନ୍ତୁ ଓଡିଶାର ଯୁବକମାନେ ରାଜ୍ୟରେ ଚାକିରି ନ ପାଇ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ‘ଆମ ଓଡିଶା ନବୀନ ଓଡିଶା’ ନାଁରେ ଆଉ ଏକ ଦୁର୍ନୀତିର ପେଡି ଖୋଲି ବିଜୁ ଜନତା ଦଳର କର୍ମୀ ମାନଙ୍କୁ ନିର୍ବାଚନୀ ଖର୍ଚ୍ଚ ଦେବାର ମସୁଧା କରାଯାଇଛି । ଦୀର୍ଘ ୨୩ ବର୍ଷ ଧରି ଓଡିଶାରେ ଚାଲିଥିବା ବିଜେଡି ସରକାରର ଲମ୍ବା ଦୁର୍ନୀତିର ତାଲିକା ରାଜ୍ୟବାସୀଙ୍କୁ ଅଛପା ନାହିଁ । ପଂଚାୟତ, ବ୍ଲକ ରୁ ସଚିବାଳୟ – ସବୁଠି ଦୁର୍ନୀତି ଓ ଭ୍ରଷ୍ଟାଚାର ବ୍ୟାପିଛି । ଗତ ୯ ବର୍ଷରେ ରାଜ୍ୟକୁ କେନ୍ଦ୍ରରୁ ମୋଦି ସରକାର ଦେଇଛନ୍ତି ୧୮.୮୩ ଲକ୍ଷ କୋଟି ଟଙ୍କା । ଓଡିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କା ଲୁଟ ହେଉଛି ଏବଂ ଏହି ମଧୁଚନ୍ଦ୍ରିକାରେ “ଅଣଓଡିଆ ଅଫିସର – ଠିକାଦାର – ବ୍ୟବସାୟୀ” ସଂପୃକ୍ତ । ୫୦% ପିସି କମିଶନ ଟଙ୍କାରେ ମାଲେମାଲ ବିଜେଡି ନେତା, ମନ୍ତ୍ରୀ ଓ କୁଜିନେତା । ଅନ୍ୟ ପଟେ ଓଡିଆ ଲୋକମାନେ ଆଜି ନିର୍ଯ୍ୟାତିତ, ଯୁବକମାନେ ପ୍ରତାରିତ, ମହିଳାମାନେ ଅସୁରକ୍ଷିତ । ଦୁର୍ନୀତି, ବ୍ୟଭିଚାର ଓ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସାଧାରଣ ଓଡିଆ ଲୋକମାନେ ଆଜି ଅଣନିଶ୍ୱାସୀ । ଓଡିଶାରେ ଚାଲିଥିବା ଦୁର୍ନୀତି, ବ୍ୟଭିଚାର ଓ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ବିରୋଧରେ ରାଜ୍ୟର ସମସ୍ତ ବ୍ଲକ ଓ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ଆଗରେ ବିଜେପି ତରଫରୁ ଗତ ୧୪ ତାରିଖଠାରୁ ଜନଆକ୍ରୋଶ ଆନ୍ଦୋଳନ ଆରମ୍ଭ ହୋଇଛି । ଏ ଘେରାଉ କାର୍ଯ୍ୟକ୍ରମ କେବଳ ଏକ ଆନ୍ଦୋଳନ ନୁହେଁ ଏହା ହେଉଛି ଲୋକଙ୍କ ଅସନ୍ତୋଷର ପ୍ରତିଫଳନ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଆଜି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ସାମଲ କହିଛନ୍ତି ଯେ, ‘ଲ’ଲେସ୍ନେସ୍’ର ଶୀକାର ହୋଇ ଆମ ଶାନ୍ତିପ୍ରିୟ ଓଡିଶା ଏବେ ଅଶାନ୍ତ । ନବୀନ ସରକାରରେ ଅପରାଧୀଙ୍କ ଭୂସ୍ୱର୍ଗ ପାଲଟିଛି ଓଡିଶା । ଶାସକ ଦଳର ୪୦ରୁ ଅଧିକ ବିଧାୟକ ଆଜି ସଙ୍ଗୀନ ଦଫାର ଅଭିଯୁକ୍ତ । ବିଜେଡି ସାଂସଦ ଓ ବିଧାୟକ ମାନଙ୍କ ନାଁରେ ଯୈାନ ନିର୍ଯ୍ୟାତନାର ମାଳମାଳ ଅଭିଯୋଗ ରହିଛି କିନ୍ତୁ କେଉଁ ଗୋଟିଏ ଘଟଣାରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ନେଇପାରୁନାହିଁ । ରାଜ୍ୟରେ ପ୍ରତି ଅଢେଇ ଘଂଟାରେ ଜଣେ କେହି ହତ୍ୟାର ଶିକାର ହେଉଛି ତ କେଉଁଠି ଜଣେ ମହିଳା ବଳାତ୍କାରର ଶିକାର ହେଉଛି । ନାବାଳିକା ଅପହରଣ ଓ ଦୁଷ୍କର୍ମରେ ଓଡିଶା ଭାରତବର୍ଷର ୧ ନମ୍ବର ସ୍ଥାନ ଅଧିକାର କରିଛି । ଗଂଜେଇ, ଅଫିମ, ବ୍ରାଉନସୁଗାର, ଚରସ, କୋକେନ, ହିରୋଇନ, ସାପ ଗରଳ ଭଳି ଉତ୍କଟ ନିଶା କାରବାରର ପେଂଠସ୍ଥଳୀ ପାଲଟିଛି ଓଡିଶା । ଥାନାଗୁଡିକରେ ଦଳୀୟ ଭିତିରେ ଏତଲା ପଞ୍ଜୀକୃତ ହେଉଛି । ପ୍ରମାଣ ନଷ୍ଟ କରି ସ୍ୱଚ୍ଛତାର ଭେଳିକି ଦେଖାଇବାରେ ଓଡିଶା ପୋଲିସ ଏକ ନୀତିରେ ପରିଣତ କରିଛି ବୋଲି ଶ୍ରୀ ସାମଲ କହିଛନ୍ତି ।
ଚିଟଫଣ୍ଡ ଦୁର୍ନୀତି ସବୁଠାରୁ ବଡ ଦୁର୍ନୀତି । ଓଡିଶାବାସିଙ୍କ ସହ ବିଶ୍ୱାସଘାତ କରି ୪୦ଲକ୍ଷ ଗରିବ ଲୋକଙ୍କ ଝାଳବୁହା ଟଙ୍କାକୁ ଚିଟ୍ଫଣ୍ଡ ଜରିଆରେ ଲୁଟ୍ କରାଗଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପାଇବା ପାଇଁ ଗରିବ ଲୋକଟିଏ ବିଜେଡିର ନେତା ଓ ଅପିସରମାନଙ୍କୁ ୨୦ ହଜାର ଟଙ୍କା ଲାଂଚ ଦେଉଛି । ଗରିବ ହିତାଧିକାରୀଙ୍କୁ ଘର ନ ଦେଇ ଦୁର୍ନୀତି ଓ ଜାଲିଆତି ହେଉଛି । ଘରକୁ ଟ୍ୟାପ୍ ଯୋଗେ ପିଇବା ପାଣି ଯୋଗାଇ ଦେବା ପାଇଁ ମୋଦି ସରକାର ଜଳ ଜୀବନ ମିଶନରେ ଓଡିଶାକୁ ଦେଇଥିବା ୧୫ ହଜାର କୋଟି ଅର୍ଥରାଶିକୁ ବିଜେଡିର ନେତା ଅଫିସର ମାନେ ଲୁଟ୍ କରୁଛନ୍ତି । ବିଧବା ଭତା ଓ ବାର୍ଦ୍ଧକ୍ୟ ଭତାଟିଏ ପାଇବା ପାଇଁ ଅସହାୟ ଲୋକଟିଏକୁ ହଜାରେ ଟଙ୍କା ଲାଂଚ ମଗାଯାଉଛି । ମନରେଗାରେ କେନ୍ଦ୍ରରୁ ଆସୁଥିବା କୋଟି କୋଟି ଟଙ୍କା ଗରିବ ଲୋକଙ୍କୁ ମଜୁରୀ ଆକାରରେ ନମିଳି ବିଜେଡିର ଠିକାଦାର ପକେଟକୁ ଯାଉଛି । ଧାନକିଣା ଦୁର୍ନୀତି ହେଉଛି ଅନ୍ୟତମ ବଡ ଦୁର୍ନୀତି । ‘ମିଲର୍ – ଦଲାଲ୍ – ରାଜ୍ୟ ସରକାର’ ଅସାଧୁ ମେଂଟ କାରଣରୁ ଚାଷୀମାନେ ହନ୍ତସନ୍ତ । ଡିଏମଏଫ ବାବଦରେ କେନ୍ଦ୍ର ସରକାର ଦେଉଥିବା ହଜାର ହଜାର କୋଟି ଟଙ୍କା ଆଜି ବିନା ଟେଣ୍ଡରରେ ଖର୍ଚ୍ଚ ହୋଇ ବ୍ୟାପକ ଦୁର୍ନୀତି ହେଉଛି । ସବୁ ଦୁର୍ନୀତିରେ ଏ ସରକାର ଲିପ୍ତ ଅଛି ବୋଲି ଶ୍ରୀ ସାମଲ କହିଛନ୍ତି ।
ଓଡିଶାରେ ଗ୍ରାମସଭାରୁ ନେଇ ବିଧାନସଭା, ମନ୍ତ୍ରୀ ସଭା ପର୍ଯ୍ୟନ୍ତ ସବୁଠି ଗଣତନ୍ତ୍ରର ହତ୍ୟା ହେଉଛି । ବ୍ଲକ ଚେୟାରମ୍ୟାନର ଅଧିକାରକୁ ହତ୍ୟା କରାଯାଇ ବିଡିଓଙ୍କୁ ସର୍ବେସର୍ବା କରାଯାଇଛି । ସେହିଭଳି ଜିଲ୍ଲା ସ୍ତରରେ ଜିଲ୍ଲା ପରିଷଦମାନଙ୍କର କିଛି କ୍ଷମତା ନାହିଁ । ଜିଲ୍ଲାପାଳମାନେ ଯାହା ଚାହୁଁଛନ୍ତି ତାହା କରୁଛନ୍ତି । ଗ୍ରାମପଂଚାୟତ ସ୍ତରର ସ୍ଥିତି ଆହୁରି ସଙ୍ଗୀନ । ଓଡିଶାରେ ବାବୁରାଜ ଅସହ୍ୟ ହେଲାଣି ବୋଲି ସରପଂଚ ଓ ସମିତି ସଭ୍ୟମାନେ ରାଜରାସ୍ତାରେ ଧାରଣା ଦେଉଛନ୍ତି । ରାଜ୍ୟରେ ଗଣତନ୍ତ୍ର ଓ ପଂଚାୟତରାଜ ବ୍ୟବସ୍ଥା ସଂପୂର୍ଣ୍ଣ ଧ୍ୱଂସାଭୀମୁଖୀ ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ଘେରାଓ କାର୍ଯ୍ୟକ୍ରମରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ଦାସ, ଭଦ୍ରକ ଜିଲ୍ଲା ଉପସଭାପତି ଚତୁର୍ଭୁଜ ନାୟକ ଓ ସାଧାରଣ ସଂପାଦକ ମନୋଜ ମଲ୍ଲିକ, ବୈକୁଂଠନାଥ ସାହୁ, କୈଳାଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସୁନ୍ଦରଗଡ ଜିଲ୍ଲାର ସଦର, ବଡଗାଁ, ଲାଠିକଟା ଓ ଲହୁଣିପଡା, ଝାରସୁଗୁଡା ଜିଲ୍ଲାର ବେଲପାହାଡ, କୋଲାବିରା, ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ, ଅନୁଗୁଳ ଜିଲ୍ଲାର ତାଳଚେର ଓ ଆଠମଲ୍ଲିକ, ସମ୍ବଲପୁର ଜିଲ୍ଲାର ଜମନକିରା, ଦେବଗଡ ଜିଲ୍ଲାର ରିଆମାଳ, ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି, କୋରାପୁଟ ମ୍ୟୁନିସିପାଲିଟି, କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା, କଲମପୁର, ଜୁନାଗଡ, କେନ୍ଦ୍ରାପଡା ଜିଲ୍ଲାର ରାଜନଗର, ଜଗତସିଂହପୁର ଜିଲ୍ଲାର ବାଲିକୁଦା, ନାଉଗାଁ, କଟକ ଜିଲ୍ଲାର ମାହାଙ୍ଗା ଆଦି ସ୍ଥାନରେ ବ୍ଲକ ଓ ମ୍ୟୁନିସିପାଲିଟି ଘେରାଓ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ନେତୃବୃନ୍ଦ, କାର୍ଯ୍ୟକର୍ତା ଏବଂ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ ।