
ବଲାଙ୍ଗୀର– ଆଜି ବଲାଙ୍ଗୀର ସାମ୍ବାଦିକଭବନ ଠାରେ ଜାତୀୟ ପ୍ରେସଦିବସ ପାଳିତ ହୋଇଯାଇଛି । ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମ୍ବାଦିକ ସଂଘର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ “କୃତୃିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ”ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସାମ୍ବାଦିକ ସଂଘର ଉପସଭାପତି ବଳରାମ ମିଶ୍ରଙ୍କ ସଭାପତିତ୍ଵ ଓ ସାମ୍ବାଦିକ ସଂଦୀପ କୁମାର କୁଅଁରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଏସପି ସୁରେଶ ନାଏକ, ପୌରାଧ୍ୟକ୍ଷା ଲିକା ସାହୁ ଓ ମୁଖ୍ୟବକ୍ତା ଭାବରେ ଡ. ପ୍ରେମଚନ୍ଦ ମହାନ୍ତି ଯୋଗଦେଇଥିଲେ ।
ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସରୋଜ କୁମାର ସାହୁ ଆଜିର କାର୍ଯ୍ୟକ୍ରମ ଓ ପ୍ରେସଦିବସ ପାଳନର ଉଦ୍ଦେଶ୍ୟ ସହିତ ଅନୁଚିନ୍ତା ବିଷୟରେ କହିଥିଲେ । ସଂପ୍ରତି ବିଜ୍ଞାନ ଯୁଗରେ ମଣିଷ ଯନ୍ତ୍ର ଉପରେ ବେଶି ନିର୍ଭରଶୀଳ ହୋଇପଡିଛି । ଆଜିର ଦିନରେ ବିଜ୍ଞାନର ଉନ୍ନତି ଘଟିଛି କୃତ୍ତିମ ବୁଦ୍ଧିମତା କାରଣରୁ ଅନେକ ଅସାଧ୍ୟକୁ ସାଧ୍ୟ କରିପାରୁଛି । ତେବେ ଯନ୍ତ୍ରକୁ ମଣିଷ ତିଆରି କରିଛି ଓ ତାକୁ ବ୍ୟବହାର ଉପଯୋଗୀ ମଧ୍ୟ କରିଛି । ମଣିଷର ମସ୍ତିସ୍କଠାରୁ ଢେର ଗୁଣରେ ତ୍ଵରିତ ବେଗରେ ଏଆଇ ଭଳି ଯନ୍ତ୍ର ଅନେକ କାମ କରିପାରୁଛି । ତଥାପି ମଣିଷ ମନର ଭାବନା, ସମ୍ବେଦନଶୀଳତାକୁ କେବେ କୌଣସି ଯନ୍ତ୍ର ଗ୍ରହଣ କରିପାରିବ ନାହିଁ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଡ. ମହାନ୍ତି ତାଙ୍କ ବକ୍ତବ୍ୟରେ କହିଲେ ଯେ, ଏଆଇ ଆଜିର ନୁହେଁ ୧୯୫୦ ମସିହାରୁ ଏହାର ଉଦ୍ଭାବନ ହୋଇସାରିଥିଲା । ଦିନକୁ ଦିନ ଏହାର ଉନ୍ନତ ସଫଟ୍ୱେର ନିର୍ମାଣ ଚାଲିଛି ଓ ଏହାର ବ୍ୟବହାର କରାଯାଉଛି । ଆଜି ଏଆଇ ଯୋଗୁଁ ଅନେକ କାମକୁ ସହଜ କରାଯାଇ ପାରୁଛି । କିନ୍ତୁ, ଏଭଳି ସ୍ଥିତି ରହିଲେ ଆମେ ନିଜର ବୁଦ୍ଧି ଆଉ ଉପଯୋଗ ନକରି କେବଳ ଏଆଇ ଉପରେ ନିର୍ଭରଶୀଳ ହୋଇଯିବା ଯାହାକି ମଣିଷଙ୍କୁ ଭାବିବାକୁ ମଧ୍ୟ ସମୟ ମିଳିବ ନାହିଁ ଓ ମଣିଷର ପଙ୍ଗୁ ଅବସ୍ଥା ହୋଇଯିବ । ଏପରିକି ଦେଶ ତଥା ବିଶ୍ଵର ପ୍ରତ୍ୟେକ କାମକୁ କିଛି ନିର୍ଦ୍ଦିଷ୍ଟ କମ୍ପାନୀ ନିୟନ୍ତ୍ରୀତ କରିବାର କ୍ଷମତା ରଖିବେ ଓ ଏହା ମଣିଷ ସମାଜ ପାଇଁ ଭସ୍ମାସୁର ଭଳି ହେବ ବୋଲି ମୁଖ୍ୟବକ୍ତା ଡ.ମହାନ୍ତି କହିଥିଲେ । ତେଣୁ ଯନ୍ତ୍ରଗୁଡିକୁ ସଠିକ ଉପଯୋଗ କରିବା ଓ ଏହାର କଣ୍ଟ୍ରୋଲ ମଧ୍ୟ ମଣିଷ ହାତରେ ରଖିବାକୁ ପଡିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଶେଷରେ ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ସଂପାଦକ ଶିଶିରକାନ୍ତ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ ।