ନୂଆଦିଲ୍ଲୀ, କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମତି ଇରାନୀ ଆକାଶବାଣୀ ପାଇଁ ଏକ କାର୍ଯ୍ୟକ୍ରମ ଉପସ୍ଥାପନ କରିବେ । ଏହାର ନାମ ରଖାଯାଇଛି ନୈ ସୋଚ୍ ନୈ କାହାଣୀ-ଏ ରେଡିଓ ଜର୍ଣ୍ଣି ଉଇଥ୍ ସ୍ମତି ଇରାନୀ (ନୂଆ ବିଚାର ନୂଆ କାହାଣୀ -ସ୍ମୃତି ଇରାନୀଙ୍କ ସହିତ ଏକ ରେଡିଓ ଯାତ୍ରା) । ଆସନ୍ତାକାଲି ଆକାଶବାଣୀ ଗୋଲ୍ଡ ଚାନେଲରେ ପୂର୍ବାହ୍ନ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଏକ ଘଣ୍ଟା ବ୍ୟାପୀ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ । ପ୍ରତି ବୁଧବାର ଏହି ଧାର୍ଯ୍ୟ ସମୟରେ ଉକ୍ତ କାର୍ଯ୍ୟକ୍ରମ ଶ୍ରୀମତୀ ଇରାନୀଙ୍କ ଦ୍ୱାରା ଉପସ୍ଥାପିତ ହେବ । ଏଥିରେ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ମହିଳା ସଶକ୍ତିକରଣର ଅବିଶ୍ୱସନୀୟ କାହାଣୀମାନ ସ୍ଥାନ ପାଇବ । ମୁଖ୍ୟତଃ ସରକାରଙ୍କ ବିିଭିନ୍ନ କାର୍ଯ୍ୟକ୍ରମ ଓ ପଦକ୍ଷେପ ଫଳରେ ଦେଶରେ ମହିଳାମାନଙ୍କର ଭବିଷ୍ୟତ କିପରି ରୂପ ନେଉଛି ଓ ସେମାନେ କିପରି ସଶକ୍ତ ହେଉଛନ୍ତି ସେ ବିଷୟରେ ମନ୍ତ୍ରୀ ଶ୍ରୀମତୀ ଇରାନୀ କହିବେ । ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରି ସମର୍ଥ ତଥା ସଶକ୍ତ ହୋଇଥିବା ମହିଳାଙ୍କ କଥା ଏହି କାର୍ଯ୍ୟକ୍ରମରେ ସ୍ଥାନ ପାଇବ । ଏଥିରେ ଉଦ୍ୟମିତା, ଦକ୍ଷତା ବିକାଶ, କ୍ରୀଡା, ସ୍ୱାସ୍ଥ୍ୟ ଓ ବିତ୍ତ ଆଦି କ୍ଷେତ୍ରର ସଫଳ ମହିଳାଙ୍କ କଥା ଉପସ୍ଥାପିତ ହେବ ।
ପ୍ରତି ବୁଧବାର ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବାକୁ ଥିବା ବେଳେ ଆସନ୍ତାକାଲି ଅର୍ଥାତ ବୁଧବାର ଏହାର ପ୍ରଥମ ପ୍ରସାରଣ ଦିନ ୯ଟାରେ ଆରମ୍ଭ ହୋଇ ଏକଘଣ୍ଟା ଯାଏ ଚାଲିବ । ଆକାଶବାଣୀ ଗୋଲ୍ଡ ୧୦୦.୧ ମେଗାହର୍ଜ ଦିଲ୍ଲୀରୁ ଏହା ପ୍ରସାରିତ ହେବ । ଦେଶର ସବୁ ଆକାଶବାଣୀ କେନ୍ଦ୍ର ଏହି କାର୍ଯ୍ୟକ୍ରମକୁ ରିଲେ କରି ପ୍ରଚାର କରିବେ । ଏହି ଶୋ ମଧ୍ୟ ନ୍ୟୁଜ ଅନ୍ ଏୟାର ଆପ୍, ଆକାଶବାଣୀ ୱେବ ସାଇଟ୍ www.airnewsonair.gov.inରେ ଉପଲବ୍ଧ ହେବ । ଏହା ବ୍ୟତୀତ ଆକାଶବାଣୀ ୟୁଟ୍ୟୁବ ଚାନେଲ @airnews official ଓ ବିଭିନ୍ନ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ।
ପ୍ରଥମ ଶୋ ରେ ଷ୍ଟାର୍ଟଅପ୍ ଏବଂ ନିଜ ଉଦ୍ୟମରେ ବ୍ୟବସାୟ କରି ସଫଳ ହୋଇଥିବା ମହିଳାମାନେ ସ୍ଥାନ ପାଇବେ । ସେମାନଙ୍କ ସଫଳ କାହାଣୀ ଏଥିରେ ପ୍ରସାରିତ ହେବ । ସରକାରୀ ଯୋଜନା, କାର୍ଯ୍ୟକ୍ରମ ଓ ପ୍ରୟାସ ଦ୍ୱାରା ସେମାନେ କିପରି ଉପକୃତ ହେଉଛନ୍ତି ସେକଥା କହିବେ । ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଗଣ ଭାଗ ନେବେ । ବିଭିନ୍ନ ସରକାରୀ ଯୋଜନାର ସୁଯୋଗ କିପରି ନିଆଯାଇ ପାରିବ ସେ ବିଷୟରେ ସେମାନେ କହିବେ ।