ଭୁବନେଶ୍ୱର– ଦକ୍ଷିଣ-ପୂର୍ବ ପାର୍ଶ୍ୱବର୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ସୃଷ୍ଟ ସୁଦୃଶଃ ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତର-ପଶ୍ଚିମ ଦିଗରେ ଗତିକରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ମଧ୍ୟାହ୍ନ ସୁଦ୍ଧା ଘନୀଭୂତ ହୋଇ ବୁଧବାର ମଧ୍ୟାହ୍ନରେ ଅବପାତରେ ପରିଣତ ହୋଇଛି । ପରେ ଏହା ଉତର-ପଶ୍ଚିମ ଦିଗରେ ଗତିକରି ୧୬ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତୀ ଆନ୍ଧ୍ର ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି ।
ଏହି ଅବପାତର ପ୍ରଭାବରେ ୧୫ ତାରିଖରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଘଂଟା ପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବ ଏବଂ ୧୭ ତାରିଖ ପର୍ଯ୍ୟନ୍ତ ପବନର ବେଗରେ ବୃଦ୍ଧି ଘଟି ୫୦ରୁ ୬୦ କିଲୋମିଟର ଏବଂ ସ୍ଥଳବିଶେଷରେ ୭୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ନଭେମ୍ବର ୧୬ରୁ ୧୮ ତାରିଖ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବ । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।
ଅନ୍ୟପକ୍ଷରେ ଅବପାତର ପ୍ରଭାବରେ ୧୬ ନଭେମ୍ବରରେ ୬ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ପୁରୀ ,କେନ୍ଦ୍ରାପଡ଼ା,କଟକ, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱର, ।
ସେହିପରି ୧୭ ତାରିଖରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ମୟୁରଭଂଜ, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।