-
ମୁଁ ସମାଜର ଶେଷ ବ୍ୟକ୍ତିଙ୍କ ଲୁଣ ଖାଇଛି, ମୁଁ ଋଣ ସୁଝିବାକୁ ଆସିଛି- ନରେନ୍ଦ୍ର ମୋଦି
ଖୁଣ୍ଟି,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ତାଙ୍କର ଭୂମିରୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏହି ସଂକଳ୍ପ ଯାତ୍ରା ଜାନୁୟାରୀ 26 ଯାଏ ଚାଲିବ । ଏହି ଅବସରରେ ପିଏମ ମୋଦି 7200 କୋଟି ଟଙ୍କାର ବିଭିନ୍ନ ଯୋଜନାର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଏହାସହିତ 24ହଜାର କୋଟିର ପିଭିଟିଜି ମିଶନର ସର୍ଟ ଫିଲ୍ମ ଓ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ପିଏମ ମୋଦି । ଏହି ଅବସରରେ 8କୋଟି ହିତାଧିକାରୀଙ୍କୁ ପିଏମ କିଷାନ ଯୋଜନାର 15ତମ କିସ୍ତିରେ 18,000 କୋଟି ଟଙ୍କା ପ୍ରଦାନ କରାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁଣ୍ଟି ଜିଲ୍ଲାର ବିର୍ସା କଲେଜ ପରିସରରେ ଥିବା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ । ସମସ୍ତ ଜୋହାର କହି ଏହି ସଭାର ଶୁଭାରମ୍ଭ କରିଥିଲେ ପିଏମ । ପିଏମ କହିଥିଲେ ଯେ, ଆଜିର ଦିନ ସୌଭାଗ୍ୟର ଭରି ରହିଛି । କିଛି ସମୟ ପୂର୍ବରୁ ଭଗବାନ ବିର୍ସା ମୁଣ୍ଡାଙ୍କ ପରିବାର ଲୋକଙ୍କ ସହିତ ଭେଟ ହୋଇଥିଲା । ଏହି ପବିତ୍ର ମାଟିକୁ ମଥାରେ ଲଗାଇବାର ସୌଭାଗ୍ୟ ମିଳିଲା । ଭଗବାନ ବିର୍ସା ମୁଣ୍ଡାଙ୍କ ପାର୍କ ଦେଖିବାର ଅବସର ମିଳିଲା । ଦୁଇବର୍ଷ ତଳେ ଏହି ମ୍ୟୁଜିୟମ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବାର ସୌଭାଗ୍ୟ ମିଳିଥିଲା ।ଏହା କହି ସମସ୍ତ ଦେଶବାସୀଙ୍କୁ ଜନଜାତି ଗୌରବ ଦିବସର ଶୁଭେଚ୍ଛା ଜଣାଇଥିଲେ ପିଏମ ମୋଦି ।