ଭୁବନେଶ୍ୱର–ଜନଜାତି କଳା, ସାହିତ୍ୟ, ନୃତ୍ୟ, ସଙ୍ଗୀତ ଓ ସଂସ୍କୃତିକୁ ପରିଚୟ ଦେବା ପାଇଁ ସର୍ବଭାରତୀୟସ୍ତରରେ ଜନଜାତୀୟ ଗୌରବ ଦିବସ ପାଳନ କରାଯାଉଛି । ମହାନ ବିପ୍ଲବୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଗୌରବ ଦିବସ ରୂପେ ପାଳନ କରିବା କେବଳ ରାଜ୍ୟ ପାଇଁ ନୁହେଁ ବରଂ ସମଗ୍ର ଦେଶ ପାଇଁ ଗର୍ବର ବିଷୟ ବୋଲି ମତ ବ୍ୟକ୍ତ କରିଛନ୍ତି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକା । ଏ ଅବସରରେ ବୁଧବାର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ଜନଜାତୀୟ ଗୌରବ ଦିବସ ସମାରୋହ ଆୟୋଜନ କରାଯାଇଛି ।
ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି, ଜନଜାତିଙ୍କୁ ସମ୍ମାନ, ସେମାନଙ୍କ ଗୌରବ ଓ ସଂସ୍କୃତିକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ସର୍ବଦା ଚେଷ୍ଟିତ । ୫-ଟି ଉପକ୍ରମରେ ଜନଜାତି ବିଦ୍ୟାଳୟ ଗୁଡିକର ପରିବର୍ତନ ଫଳରେ ଅନେକ ଆଦିବାସୀ ଛାତ୍ରଛାତ୍ରୀ ପାଠ ପଢି ମୁଖ୍ୟସ୍ରୋତରେ ସାମିଲ୍ ହୋଇପାରିଛନ୍ତି । ବିର୍ସା ମୁଣ୍ଡା ଆମ ଯୁବ ସମାଜ ପାଇଁ ପ୍ରେରଣା । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ସେବା କରିବାକୁ ସେ ଆହ୍ୱାନ ଦେଇଛନ୍ତି ।
କାର୍ଯ୍ୟକ୍ରମରେ ବିଭାଗୀୟ ଶାସନ ସଚିବଶ୍ରୀମତୀ ରୂପା ରୋଶନ ସାହୁ ଯୋଗ ଦେଇ କହିଛନ୍ତି, ଅନ୍ତର୍ଜାତୀୟ ସ୍ତରରେ ଜନଜାତିଙ୍କ କଳା ଓ ସଂସ୍କୃତିକୁ ପରିଚୟ ପ୍ରଦାନ କରିବା ପାଇଁ ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡିଶା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଗଠନ କରିଛନ୍ତି । ସବୁ ଜନଜାତି ବର୍ଗର ପ୍ରତିନିଧି ମାନେ ଏହି ପରିଷଦର ସଦସ୍ୟ ଅଛନ୍ତି । ଶିକ୍ଷା, ଜୀବିକା, ସଂସ୍କୃତି ହେଉଛି ଜନଜାତିଙ୍କ ବିକାଶର ମୂଳମନ୍ତ୍ର । ଶିକ୍ଷାରେ ସଂସ୍କୃତିକୁ ସାମିଲ୍ କରିବା ପାଇଁ ୪୨୨ ଟି ଆଦିବାସୀ ବିଦ୍ୟାଳୟରେ ସ୍ୱତନ୍ତ୍ର ଭାବେ ଜନଜାତି ସଂସ୍କୃତି ପାଇଁ ସ୍ଥାନ ରହିବ । ଆଦିବାସୀ ପରିଧାନଠାରୁ ଆରମ୍ଭ କରି କଳାକୃତିକୁ ଛାତ୍ରଛାତ୍ରୀମାନେ ଦେଖିବାକୁ ପାଇବେ ।
କାର୍ଯ୍ୟକ୍ରମର ମୁଖ୍ୟବକ୍ତା ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ ଯୋଗ ଦେଇ ବିର୍ସା ମୁଣ୍ଡାଙ୍କ ସମ୍ପର୍କରେ ବିଶେଷ ଭାବେ ଆଲୋଚନା କରିବା ସହ ଉପସ୍ଥିତ ଶ୍ରୋତା ଓ ଛାତ୍ରଛାତ୍ରୀଙ୍କୁ ବିର୍ସା ମୁଣ୍ଡାଙ୍କୁ ଆଦର୍ଶ ରୂପେ ଗ୍ରହଣ କରିବାକୁ ଉପଦେଶ ଦେଇଥିଲେ । ଏହି ଅବସରରେ ଓରାଓଁ, ପରଜା ଓ ସାନ୍ତାଳ ଜନଜାତିଙ୍କ ନୃତ୍ୟ ପରିବେଷଣ କରାଯାଇଥିବା ବେଳେ ସ୍ୱତନ୍ତ୍ର ଭାବେ ଗଣ୍ଡୋ ଓ ପରଜା ସମ୍ପଦ୍ରାୟର ଦୁଇଟି ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଆଗାମୀ ୨୬ ତାରିଖ ଯାଏଁ ଜନଜାତୀୟ ଗୌରବ ଦିବସ ପାଳନ କରାଯିବ । ଜନଜାତି ଚିତ୍ରାଙ୍କନ ପ୍ରତିଯୋଗିତା, କଳା ଓ କଳାବସ୍ତୁ ପ୍ରଦର୍ଶନ, ଜନଜାତି ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ, ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀର ଆୟୋଜନ କରାଯିବ ।
ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ କାର୍ଯ୍ୟକ୍ରମରେ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଅନୁସୂଚିତ ଜାତି ନିର୍ଦ୍ଦେଶକ ଲକ୍ଷ୍ମଣ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟପକ୍ଷେଏସସିଏସଟିଆରଟିଆଇର ସ୍ୱତନ୍ତ୍ର ଅଧିକାରୀ ସମରେନ୍ଦ୍ର ଭୂତିଆ କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।