ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ କଇଁଫୁଲ ଗ୍ରାମରେ ଘଟିଛି ଏକ ଅଘଟଣ । ଏକ ଖୋଲା ଡିପ ବୋରୱେଲରେ ଖସି ପଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତ ବୃଦ୍ଧା ଜଣକ ହେଲେ ଗୋବିନ୍ଦପୁର ଗ୍ରାମର ଦୁଃଖୀ ନେଗୀ (୭୦)।
ସୂଚନା ଅନୁଯାୟୀ, ମୃତକ ଜଣକ ନିଜ ଝିଅ ଘର ମୟୂରୁଉଡାନ ପଂଚାୟତର କଇଁଫୁଲ ଗ୍ରାମ ନିକଟସ୍ଥ କସୁରପାଲି ଗ୍ରାମକୁ ଗତ ୨ ମାସ ହେଲା ଆସିଥିଲେ । ତେବେ ଗତକାଲି ସକାଳ ପ୍ରାୟ ୮ଟା ରେ ବୃଦ୍ଧା ମହିଳା ଜଣକ କଇଁଫୁଲ ଗ୍ରାମରେ ଥିବା ଏକ ବିଲକୁ ଝାଡୁ ତିଆରି କରିବାକୁ ବେଣା କାଟିବାକୁ ଯାଇ ଆଉ ଫେରି ନ ଥିଲେ । ବହୁ ଖୋଜାଖୋଜି ପରେ ସେଠାରେ ଥିବା ଏକ ବୋରୱେଲ ନିକଟରେ ଏକ ଦା ଏବଂ ବେଣା ଗୋଛା ପଡିଥିବା ଦେଖି ବୋରୱେଲରେ ଖସି ପଡିଥିବା ପରିବାର ଲୋକ ଜାଣିଥିଲେ । ଆଜି ସକାଳୁ ଖବର ପାଇ ସଙ୍ଗେ ସଙ୍ଗେ ସୋନପୁର ବିଡ଼ିଓ ସୌମ୍ୟ ରଞ୍ଜନ ସ୍ଵାଇଁ ପହଂଚିଥିଲେ ଓ ବ୍ଲକ ପ୍ରଶାସନ, ପୁଲିସ, ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ଟିମ ସହାୟତାରେ ପ୍ରଥମେ ଅକ୍ସିଜେନ ଦିଆଯିବା ସହ ୨୦ ଫୁଟ ତଳେ ଥିବା ବୃଦ୍ଧାଙ୍କୁ ୩ ଘଣ୍ଟା ପରେ ଉଦ୍ଧାର କରାଯାଇ ମୁର୍ମୁଷୁ ଅବସ୍ଥାରେ ସୋନପୁର ଡାକ୍ତରଖାନା ଅଣାଯାଇଥିଲା । ତେବେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ଘଟଣାର ଖବର ପାଇ ସ୍ଵାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକ, ପ୍ରଶାସନ ସହିତ ଆଲୋଚନା କରି ବ୍ୟକ୍ତି ଗତ ଭାବେ ଆର୍ଥିକ ସହାୟତା କରିଛନ୍ତି। ମନ୍ତ୍ରୀ ଶ୍ରୀ ପୂଜାରୀ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଘଟଣାସ୍ଥଳରେ ଉପସ୍ଥିତ ରହି ସମଗ୍ର କର୍ଯ୍ୟର ତର୍ଜମା କରୁଥିବା ଦେଖା ଯାଇଥିଵା ବେଳେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା ସହାୟତା କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପାଇଁ ବ୍ଲକ ଓ ଜିଲ୍ଲା ପ୍ରଶାସନରୁ ତୁରନ୍ତ ଫାଇଲ ପ୍ରୋସେସ କରାଯାଇଥିବା ବିଷୟ ଆଜି ବିଡ଼ିଓ ଶ୍ରୀ ସ୍ଵାଇଁ ମିଡ଼ିଆକୁ ସୂଚନା ଦେଇଛନ୍ତି।