
ମାଲକାନଗିରି, ମାଲକାନଗିରି ମହାବିଦ୍ୟାଳୟର ପୂର୍ବତନ ପ୍ରଧ୍ୟାପକ ଶିବାନନ୍ଦ ବେଉରାଙ୍କର ଗତକାଲି ରାତ୍ର ୯ଟା ସମୟରେ ଭୁବନେଶ୍ଵର ସ୍ଥିତ କ୍ୟାପିଟାଲ ହସ୍ପିଟାଲଠାରେ ହୃଦଘାତରେ ପରଲୋକ ଘଟିଛି। ସେ ବର୍ତ୍ତମାନ ମହର୍ଷି ମହାବିଦ୍ୟାଳୟ, ଭୁବନେଶ୍ଵରରେ କାର୍ଯ୍ୟରତ ଥିଲେ। ଏହି ଦୁଃଖଦ ଖବର ପାଇଲା ପରେ ମାଲକାନଗିରି ମହାବିଦ୍ୟାଳୟ ପ୍ରାଙ୍ଗଣରେ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ବିଭାଗର ମୁଖ୍ୟ ଡ଼ଃ. ରଞ୍ଜନ କୁମାର ସ୍ଵାଇଁ ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀ, ଛାତ୍ର ଛାତ୍ରୀ ପ୍ରାୟତଃ ୪୦୦ ରୁ ଉର୍ଦ୍ଧ ଉପସ୍ଥିତ ରହି ସ୍ଵର୍ଗତ ବେଉରାଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରିଥିଲେ। ସ୍ଵର୍ଗତ ବେଉରା ଜଣେ ଛାତ୍ର ଵତ୍ସଳ, ଆଦର୍ଶ ଅଧ୍ୟାପକ, ମେଳାପି ଓ ଭଦ୍ର ବ୍ୟବହାର ଲାଗି ମାଲକାନଗିରି ଅଭିଭାବକ ମହଲରେ ସୁପରିଚିତ ଥିଲେ। ସେ ଜଣେ ପରୋପକାରୀ ସହ ଜଣେ ଆଧ୍ୟାତ୍ମିକ ଚିନ୍ତାରେ ନିଜକୁ ବ୍ରତୀ ରଖିଥିଲେ।
ଏହି ଅବସରରେ ଭଗବାନଙ୍କର ନିକଟତର ହେବା ପାଇଁ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ତାଙ୍କର ବିୟୋଗ କୌଣସି ଶିକ୍ଷାନୁଷ୍ଠାନ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତ ପ୍ରକାଶ ପାଇଅଛି।