ମାଲକାନଗିରି, ମାଲକାନଗିରି ଜିଲ୍ଲାରେ ଯେତିକି ଉନ୍ନତି ହୋଇଛି ସେତିକି ଅବନତି ଘଟିଛି । ରାଜ୍ୟ ସରକାର ଅଙ୍ଗନୱାଡ଼ି କେନ୍ଦ୍ର ମାଧ୍ୟମରେ ମହିଳା ଓ ଶିଶୁଙ୍କ ସ୍ଵାସ୍ଥ୍ୟର ଉନ୍ନତି ପାଇଁ ପୃଷ୍ଟିକର ଖାଦ୍ଯ ପ୍ରଦାନ କରୁଛନ୍ତି। ମଧ୍ୟାହ୍ନ ଭୋଜନରେ ଅଣ୍ଡା ଏବଂ ଖାଦ୍ୟ ପ୍ରଦାନରେ ଅନିୟମିତତାକୁ ନେଇ ଅଭିଯୋଗ ହୋଇଥିବା ବେଳେ ଆଜି ଗ୍ରାମବାସୀ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଇ ଏ ସଂକ୍ରାନ୍ତରେ ଅଙ୍ଗନବାଡି ଦିଦିଙ୍କୁ ପଚାରିଥିଲେ। ଯାହାକୁ ନେଇ ସେଠାରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ଗ୍ରାମବାସୀ କେନ୍ଦ୍ରରେ ତାଲା ପକାଇ ଦେଇଥିଲେ। ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମାନ୍ଦାପାଲ୍ଲୀ ପଞ୍ଚାୟତ ଏମ୍.ପି.ଭି-୭ ନଂ ଗ୍ରାମର ଅଙ୍ଗନୱାଡ଼ି କେନ୍ଦ୍ରରେ ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗର୍ଭବତୀ ମହିଳା ଓ ପ୍ରସ୍ତୁତିମାନଙ୍କ ପାଇଁ ମାସକୁ ୧୨ଟି ଅଣ୍ଡା ଦେବାର ସରକାରୀ ନିୟମ ରହିଛି, କିନ୍ତୁ ୧୨ଟି ଅଣ୍ଡା ବଦଳରେ କାହିଁକି ୧୦ଟି ଅଣ୍ଡା ଦିଆଯାଉଛି ସେ ନେଇ ପଚାରିଥିଲେ ଗ୍ରାମବାସୀ । ସେହିପରି ଗତ ଗୁରୁବାର ଦିନ ଅଙ୍ଗନୱାଡ଼ି କେନ୍ଦ୍ରରେ ଛାତ୍ର ଛାତ୍ରୀମାନଙ୍କୁ ଅଣ୍ଡା ପ୍ରଦାନ କରାଯାଇନଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ଗର୍ଭବତୀ ମହିଳାମାନଙ୍କ ପ୍ରସବ ସମୟରେ ଗର୍ଭବତୀ ମହିଳାମାନଙ୍କ ପାଇଁ ଟଙ୍କା ପ୍ରଦାନ କରାଯିବା କଥା ସେହି ଟଙ୍କା ଆଜକୁ ପ୍ରାୟ ପାଞ୍ଚ ବର୍ଷ ହୋଇଯାଇଥିଲେ ମଧ୍ୟ ଏପଯ୍ଯନ୍ତ ଟଙ୍କା ମିଳି ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।