
ପୁରୀ, ପୁରୀ ଶ୍ରୀମନ୍ଦିରରେ ଆଜି ମଙ୍ଗଳଆଳତି ସମୟରେ ଠେଲାପେଲାରେ ହବିଷ୍ୟାଳୀଙ୍କ ସମେତ ୧୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କେତେଜଣ ଶ୍ରଦ୍ଧାଳୁ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିବା ଜଣାପଡ଼ିଛି ।
ଆଜି ସକାଳେ ଶ୍ରୀମନ୍ଦିରରେ ଭକ୍ତଙ୍କର ପ୍ରବଳ ଗହଳି ହୋଇଥିଲା । ସକାଳୁ ଦ୍ୱାରା ଫିଟା ଯିବାପରେ ଭକ୍ତ ଓ ହବିଷ୍ୟାଳୀଙ୍କୁ ମଙ୍ଗଳଆଳତି ଦର୍ଶନ କରିବାକୁ ଛଡ଼ା ଯାଇଥିଲା । ହେଲେ ସାତ ପାହାଚରେ ନିକଟରେ ଠେଲାପେଲା ହୋଇଥିଲା । ଏହି ଠେଲାପେଲାରେ ହବିଷ୍ୟାଳୀଙ୍କ ସମେତ ୧୦ରୁ ଅଧିକ ଭକ୍ତ ଆହତ ହୋଇଥିଲେ । ପରେ ସେଠାରେ ଥିବା ପୁଲିସ ଓ ଜେଟିପି ମାନେ ଭିଡ଼କୁ ନିୟନ୍ତ୍ରଣ କରିଥିଲେ । ଆହତଙ୍କୁ ଉଦ୍ଧାର କରାଯାଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତି କରାଯାଇଥିଲା । ଭିଡ଼ରେ ଅଣ ନିଶ୍ଵାସୀ ହୋଇଯାଇଥିବା ଭକ୍ତଙ୍କୁ ଉଦ୍ଧାର କରାଯାଇ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଦର୍ଶନ ବ୍ୟବସ୍ଥାର ତ୍ରୁଟି ଯୋଗୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି ।
ଗତକାଲି ଠାରୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ବଢିଛି । ଗତକାଲି କାର୍ତିକ ମାସ ରମ୍ଭା ଏକାଦଶୀରେ ମଧ୍ୟ ଶ୍ରୀମନ୍ଦିରରେ ଭକ୍ତଙ୍କର ପ୍ରବଳ ଗହଳି ହୋଇଥିଲା । ମଚ୍ଚିକୋଟ ଛକ ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।