
ଭୁବନେଶ୍ୱର – ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ନାଁରେ ଚାଲିଥିବା ବ୍ୟାପକ ଅଗଣତାନ୍ତ୍ରିକ କାର୍ଯ୍ୟ ଉପରେ ନେଇ ବର୍ଷିଛି ରାଜ୍ୟ ବିଜେପି । ରାଜ୍ୟ ସରକାର ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ବିଜେଡ଼ି କର୍ମୀଙ୍କ ବୁଥ ଖର୍ଚ୍ଚ ଦେଉଛନ୍ତି ବୋଲି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ଅଭିଯୋଗ କରିଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଗାଁରେ ମୁସଲମାନ ସଂପ୍ରଦାୟର ଲୋକ ନଥିବା ସତ୍ୱେ ମସଜିଦ ନିର୍ମାଣ ପାଇଁ ରାଜ୍ୟ ସରକାର ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ୩ ଲକ୍ଷ ୫୦ ହାଜର ଟଙ୍କାର ବ୍ୟୟ ବରାଦ କରିଛନ୍ତି ବୋଲି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକର ବୈସିଙ୍ଗା ପଂଚାୟତ ଡାହିବାଡ଼ି ଗାଁ ଲୋକ ଅଭିଯୋଗ କରିଛନ୍ତି । ଡାହିବାଡ଼ି ଗାଁରେ ଶତ ପ୍ରତିଶତ ଆଦିବାସୀ ଲୋକ ବାସ କରିଛନ୍ତି । ଏଭଳି ସ୍ଥିତିରେ ଗାଁରେ ମସଜିଦ ନିର୍ମାଣ ନିଷ୍ପତି ଗ୍ରାମବାସୀଙ୍କ ଅସନ୍ତୋଷ ବଢିଛି । ଆମ ଓଡ଼ିଶା ନବୀନ ଓଡ଼ିଶା ଲୋକଙ୍କ ପାଇଁ ତିଆରି ହୋଇଛି ନା ଲୋକଙ୍କ ଭିତରେ ଅସନ୍ତୋଷ ସୃଷ୍ଟି କରିବା ପାଇଁ ତିଆରି ହୋଇଛି ବୋଲି ପ୍ରଶ୍ନ କରିଛି ବିଜେପି । ଗାଁରେ ଶାନ୍ତି ଭଙ୍ଗ ହେବା ସହ ଆଇନଶୃଙ୍ଖଳା ପରିସ୍ଥିତି ହେବାର ସମ୍ଭାବନା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗତ ନଭେମ୍ବର ୬ ୨୦୨୩ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ଡ଼ାହିବାଡି ଗ୍ରାମବାସୀ ଏଭଳି ଅଭିଯୋଗ କରିଛନ୍ତି । ଯଦି ଆମ ଓଡ଼ିଶା ନବୀନ ଓଡ଼ିଶାରେ ହେଉଥିବା କାମ ଗ୍ରାମ ସଭା, ପଲ୍ଲୀ ସଭା ମାଧ୍ୟମରେ ନିଷ୍ପତି ହେଉଥାନ୍ତା, ତେବେ ଏଭଳି ପରିସ୍ଥତି ସୃଷ୍ଟି ହୋଇଥାନ୍ତା କି ବୋଲି ପ୍ରଶ୍ନ କରିଛି ବିଜେପି । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ମାଧ୍ୟମରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ହେବ ବୋଲି ସରକାର କହିଥିଲେ । ତାହେଲେ ଡାହିବାଡି ଗାଁରେ ପାଇଁ ହୋଇଥିବା ଯୋଜନାର ମାନେ କଣ ? ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଏହା ଉପରେ ସ୍ପଷ୍ଟୀକରଣ ଦେବେ କି ? ଆମ ଓଡ଼ିଶା ନବୀନ ଓଡ଼ିଶାରେ ପଂଚାୟତରେ ବର୍ଷକୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ସରକାର କହୁଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ଅର୍ଥ କମିଶନ ମଧ୍ୟ ପଂଚାୟତ ବିକାଶ ପାଇଁ ୫୦ ଲକ୍ଷ ଟଙ୍କା ଦେଉଛି । କିନ୍ତୁ ଓଡ଼ିଶାରେ ଶାସକ ଦଳ ସେହି ଅର୍ଥ ଲୁଟ କରୁଛି ବୋଲି ଅଭିଯୋଗ କରିଛି ବିଜେପି । ବେତନଟୀ ଘଟଣା ଏହା ଜଣାପଡୁଛି ଯେ, ଓଡ଼ିଶାକୁ ଅଶାନ୍ତ କରିବା ସହ ରୋହିଙ୍ଗିଆ ମାନଙ୍କୁ ଥଇଥାନ କରିବା ପାଇଁ ଷଡ଼ଯନ୍ତ୍ର ଚାଲିଛି । ଅବୈଧ ବାଂଲାଦେଶୀ ଅନୁପ୍ରେଶକାରୀଙ୍କୁ ଥଇଥାନ କରିବା ପାଇଁ ରାଜ୍ୟ ସରକାର ଚକ୍ରାନ୍ତ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।