କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ରାଷ୍ଟ୍ରୀୟ ଏକାତ୍ମତା ସୁଦୃଢ ରଖିବା ଉଦ୍ଦେଶ୍ୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଆୟୋଜିତ ଆନ୍ତ-ରାଜ୍ୟ ଛାତ୍ର ଜୀବନ ଦର୍ଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ଉତ୍ତର ପୂର୍ବାଞ୍ଚଳ ଅଧ୍ୟୟନ ଯାତ୍ରା ପାଇଁ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ, ଶ୍ରୀସଦାଶିବ ପରିସର, ପୁରୀର ତାରା ପ୍ରସାଦ ଦାଶ ଚୟନିତ ହୋଇଛନ୍ତି। ଭାରତର ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମାନଙ୍କରେ ଜନ୍ମ ନେଇଥିବା ଦେଶ ବିରୋଧୀ ତଥା ବିଛିନ୍ନତାବାଦୀ ମାନସିକତାକୁ ପରିବର୍ତ୍ତନ କରି ସମ୍ପୃକ୍ତ ରାଜ୍ୟ ମାନଙ୍କର ଛାତ୍ର ଓ ଯୁବତୀ ମାନଙ୍କୁ ରାଷ୍ଟ୍ରୀୟ ଏକାତ୍ମତାର ସୂତ୍ରରେ ବାନ୍ଧିବା ପାଇଁ ଏବିଭିପିର ଏହି ପ୍ରକଳ୍ପ ୧୯୬୬ ମସିହାରୁ କାର୍ଯ୍ୟ କରୁଛି। ପ୍ରତି ବର୍ଷ ଉତ୍ତର ପୂର୍ବାଞ୍ଚଳର ଛାତ୍ରଛାତ୍ରୀ ଦେଶର ଅନ୍ୟ ରାଜ୍ୟ ଗୁଡ଼ିକୁ ଆସି ଶିକ୍ଷା, ସଂସ୍କୃତି, ସଦ୍ଭାବନା, ପରମ୍ପରା, ଐତିହ୍ୟ, କଳା ଆଦି ବିଷୟରେ ଅନୁଭବ ଓ ପାରିବାରିକ ଆତିଥ୍ୟ ନେବା ସହ ଦେଶର ଅନ୍ୟ ରାଜ୍ୟ ଗୁଡ଼ିକରୁ ଚୟନିତ ବିଦ୍ୟାର୍ଥୀ ଉତ୍ତର ପୂର୍ବାଞ୍ଚଳ ଅଧ୍ୟୟନ ଯାତ୍ରାରେ ଯାଆନ୍ତି। ସେହି କ୍ରମରେ ଚଳିତ ବର୍ଷ ପୁରୀର ତାରା ପ୍ରସାଦ ଦାଶ ଚୟନ ଓଡିଶାରୁ ପ୍ରତିନିଧିତ୍ଵ କରୁଥିବା ଖବର ପାଇ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ତାରା ବର୍ତ୍ତମାନ ସଦାଶିବ ପରିସର ହିନ୍ଦୁ ଅଧ୍ୟୟନ ବିଭାଗରେ ସ୍ନାତକୋତ୍ତର ପ୍ରଥମ ବର୍ଷର ଛାତ୍ର ହୋଇଥିବା ବେଳେ ତାଙ୍କ ଘର ମୂଳତଃ ପୁରୀ ବାଲିସାହି। ଏବିଭିପି ସହ ତାଙ୍କର ସଂପର୍କ ୨୦୧୬ରୁ ଓ ଏବେ ସେ ପୁରୀ ବିଭାଗ (ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା)ର ବିଭାଗ ସଂଯୋଜକ ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି।
ଏହି ଖବର ପାଇ ସଦାଶିବ ପରିସରର ଅଧ୍ୟାପକ ଡ. ସୁଶାନ୍ତ କୁମାର ରାୟ, ଡ. ନନ୍ଦିଘୋଷ ମହାପାତ୍ର, ଡ. ଗଣେଶ ମିଶ୍ର, ବାମଦେବ ରଣା, ଜ୍ଞାନ ରଞ୍ଜନ ଦାଶ, ମନୋଜ କୁମାର ଦାସ, ସ୍ବାଗତ କର, ବନିତା ପାଣିଗ୍ରାହୀ, ସୌମ୍ୟା ସ୍ନିଗ୍ଧ ମହନ୍ତ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।